ତଅପୋଈ କଥା

"ବାର ମାସରେ ତେର ପର୍ବ", ଓଡ଼ିଶାରେ ବିଭିନ୍ନ ପ୍ରକାରର ପୂଜା, ପର୍ବ, ଓଷାବାର ଓ ଅନେକ ବ୍ରତକଥା ରହିଛି। ଏସବୁ କେବେ ଆରମ୍ଭ ହୋଇଥିଲା, ସେମାନଙ୍କର ସ୍ରଷ୍ଟା, ଏପର୍ଯ୍ଯନ୍ତ ଅଜ୍ଞାତ। ଓଡ଼ିଶାରେ ପ୍ରଚଳିତ ଅନେକ ବ୍ରତ, ଓଷା କଥା ଭିତରୁ ତଅପୋଈର ଗପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଗପଟି ଓଡ଼ିଶାରେ ଘରେ ଘରେ ସୁପରିଚିତ।

ଗପଟି ଏହିପରି-

ଧନେଶ୍ଵର ନାମରେ ପରିଚିତ ଜଣେ ସାଧବ ଥିଲେ। ତାଙ୍କର ସାତପୁଅ, ସାତବୋହୂ ଏବଂ ଏକମାତ୍ର କନ୍ୟା ତଅପୋଈ ଯିଏକି ସବୁଠାରୁ ସାନ। ଅଲିଅଳୀ ଏକ ମାତ୍ର ଗେହ୍ଲି ଝିଅ ତଅପୋଈ ଥିଲା ସାଧବର ଜୀବନ ଓ ଭାଇମାନଙ୍କର ଆଖିର ତାରା । ସାଧବର ଧନ ସମ୍ପତ୍ତି କହିଲେ ନ ସରେ। ବୈକୁଣ୍ଠ ପରି ଘର ସଂସାର। ହସ ଖେଳରେ ଦିନ ସରେନି ତାଙ୍କର। ତାଙ୍କ ଘର ପାଖରେ ଥିବା ଗୋଟିଏ ଦରିଦ୍ରା ବିଧବା ବ୍ରାହ୍ମଣୀ ସ୍ତ୍ରୀ ସବୁବେଳେ ସାଧବର ସମ୍ପଦରେ ଈର୍ଷାରେ ଜଳିଉଠୁଥାଏ। ଦିନେ ଘର ଦାଣ୍ଡରେ ତଅପୋଈ ସାଙ୍ଗ ଝିଅ ମାନଙ୍କ ସହିତ ଧୂଳିରେ ବାଉଁଶ କୁଲେଇ ଧରି ଖେଳୁଥିଲା। ଏହି ସମୟରେ ବିଧବା ବ୍ରାହ୍ମଣୀ ଆସି ତଅପୋଈକୁ କହିଲା-" ତୁ ହେଲୁ ସାଧବ ଘରର ଝିଅ ଆଉ ବାଉଁଶ କୁଲେଇରେ ଖେଳୁଛୁ! ତୁ ପରା ସୁନାର ଯୋଗ୍ୟ। ତୋ ବାପକୁ କହିଲେ ସେ ତୋ ପାଇଁ ସୁନା ଚାନ୍ଦ ଆଉ ରୂପା କୁଲେଇ ଗଢିଦିଅନ୍ତା !"

                                 

ଛୋଟ, ସରଳା ତଅପୋଈ ବ୍ରାହ୍ମଣୀର ଛଳ ନ ବୁଝିପାରି ଏବେ ସୁନା ଚାନ୍ଦ ଆଉ ରୂପା କୁଲେଇ ପାଇଁ ଅଳି କଲା। ତାର ଏପରି ମନ ମାରି ବସିବାର ଦେଖି ବାପା ମା ରାଜି ହୋଇଗଲେ। ତା ପାଇଁ ସବୁ ତିଆରି ହେବା ଆରମ୍ଭ ହେଲା କିନ୍ତୁ ପୂରା ନହେଉଣୁ ତା ବାପା ମାଆ ପ୍ରାଣ ହରାଇଲେ।

କିଛିଦିନ ପରେ ସାଧବର ସାତପୁଅ ବାପାର ସାମୁଦ୍ରିକ ବାଣିଜ୍ୟ ବ୍ୟବସାୟ ପାଇଁ ବିଦେଶ ଯିବାକୁ ବାହାରିଲେ। ଯିବା ପୂର୍ବରୁ ସେମାନେ ନିଜ ଭଉଣୀ ଆଉ ସ୍ତ୍ରୀ ମାନଙ୍କୁ ପଚାରିଲେ ବିଦେଶରୁ ସେମାନେ ନିଜ ପାଇଁ କଣ୍ ଚାହାନ୍ତି? ଆଉ କହିଦେଇଗଲେ ସେମାନଙ୍କର ଭଉଣୀ ତଅପୋଈର ଯତ୍ନ ଆଉ ଦେଖାଶୁଣାରେ ଯେମିତି ଟିକିଏବି ଉଣା ନହୁଏ,  ନିଜ ଝିଅ ପରି ତାର ଯତ୍ନ ନେବ।

ସାତବୋହୁ ସ୍ଵାମୀମାନଙ୍କର କଥା ଅନୁସାରେ ନଣନ୍ଦ ତଅପୋଈର ସେବାରେ ଟିକିଏବି ଅବହେଳା କରୁନଥିଲେ। କିଛିଦିନ ପରେ ପୁଣି ସେଇ ବିଧବା ବ୍ରାହ୍ମଣୀ ସ୍ତ୍ରୀ ଆସି ଦେଖାଦେଲା। ସାତାବୋହୁ ନଣନ୍ଦର ସେବା କରୁଥିବାର ଦେଖି କହିଲା," ଏ ସାମାନ୍ୟ ଝିଅଟାର ଏତେ ସେବା ଯତ୍ନ! ତମ ମୁହଁକୁ ଲାଜ ନାହିଁ, ସାତ ସାତଟା ବୋହୁ ସବୁ ମୂର୍ଖ! ଯେଉଁଦିନ ସାଧବପୁଅ ସବୁ ଫେରି ଆସିବେ ସେଦିନ ଏ ଝିଅଟା ତମମାନଙ୍କ ନାଆଁରେ ସବୁ ମିଛସତ କହି, ତମର ପ୍ରାଣ ନେଇଯିବ। ଏ ଝିଅଟାର କଣ ସେବା କରୁଛ! ଛିଃ ଛିଃ!" ଏସବୁ କହି ସେ ସେଠାରୁ ଚାଲି ଗଲା।

ଏହାପରେ ସବୁକିଛି ବଦଳିଗଲା। ସେବା ଯତ୍ନ ତ ଦୁରରେ ସାମାନ୍ୟ ଛୋଟ ଝିଅଟା ବୋଲି ବି କେହି ଆଦରିଲେ ନାହିଁ। ସାଧବର ଅଲିଅଳି ଝିଅକୁ ଦିନକୁ ଦି ମୁଠା ଖାଇବାକୁ କି ପିନ୍ଧିବାକୁ ଲୁଗାଟିଏ ବି କେହି ଦେଲେ ନାହିଁ। ଏବେ ସବୁ ଦିନ ଛେଳି ପଲ ଦେଇ ବଣରେ ଚରେଇବାକୁ ତଅପୋଈକୁ ପଠାଇଦେଲେ। ସପ୍ତାହର ସାତଦିନ ଜଣ ଜଣକା ତାକୁ ପାଳିକରି ଖାଇବାକୁ ଦିଅନ୍ତି। ପ୍ରଥମ ଛଅ ବୋହୁ ଅତି ନିଷ୍ଠୁରତାର ସହିତ ଖାଇବାକୁ ନ ଦେଇ ବହୁତ କଷ୍ଟ ଦିଅନ୍ତି। କେବଳ ସବୁଠାରୁ ସାନବୋହୁ ଟିକିଏ ଆଦରୁଥିଲା ଆଉ ତା ପାଳିରେ ସେ ଥାଳି ଭରି ଖାଇବାକୁ ଦିଏ, ଆଉ ବଣକୁ ଯିବ ସମୟରେ କାନି ଭରି ଖୁଦ ଦିଏ। ସେଇ ସେତିକିରେ ତଅପୋଈର ଜୀବନରେ ପ୍ରାଣ ଆସେ। ଦିନସାରା ବଣ ଜଙ୍ଗଲରେ ଆଉ ରାତିରେ ଛେଳିମାନଙ୍କ ସହିତ ରହେ। ସାତଭାଇଙ୍କ ଅଲିଅଳି ଗେହ୍ଲା ତଅପୋଈ ମାତ୍ର କିଛିଟା ଦିନରେ ନଖାଇ ନପିଇ, ଜଙ୍ଗଲରେ ଛେଳି ଜଗି ଜଗି ଶୁଖି କଳାକାଠ ପଡିଗଲା।

ଦିନେ ବଡ଼ବୋହୁର ପ୍ରିୟ ଛେଳି ଘରମଣୀ ଜଙ୍ଗଲରେ କୁଆଡେ ହଜିଗଲା। ନିଜର ପ୍ରିୟଛେଳିକୁ ନପାଇ ବଡ଼ବୋହୁ ତଅପୋଈକୁ ବହୁତ କଷ୍ଟ ଓ ଗାଳି କରି ଘରମଣୀକୁ ଖୋଜିବାକୁ ରାତିରେ ଜଙ୍ଗଲକୁ ପଠେଇଦେଲା। ଅଖିଆ ଅପିଆ ତଅପୋଈ କାନ୍ଦି କାନ୍ଦି ରାତିରେ ଘରମଣୀକୁ ବହୁତ୍ ଖୋଜିଲା। ଖୋଜିଲା ସମୟରେ ଦେଖିଲା ଯେ କିଛିଝିଅ ମାନେ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି। କାନିରେ ବାନ୍ଧିଥିବା ସାନବୋହୁ ଦେଇଥିବା ଖୁଦରେ ସେ ଝିଅ ମାନଙ୍କ ସହ ମା ମଙ୍ଗଳାଙ୍କୁ ପୂଜା କରିଲା। ପୂଜା ସାରି ବଡ଼ ପାଟିରେ ଛେଳିର ନା ଧରି ଡାକି ଡାକି ଶେଷରେ ମା ମଙ୍ଗଳାଙ୍କ କୃପାରୁ ଘରମଣୀକୁ ପାଇ ଘରକୁ ଫେରିଲା। 


ଏତେ କଷ୍ଟ ଯାତନା ମଧ୍ୟରେ ବହୁତଦିନ ବିତିଗଲା। ପୁଣି ଭାଦ୍ରବ ମାସ ଆସିବାରେ ତଅପୋଈ ଝିଅମାନଙ୍କ ସହିତ ମିଶି ମା ମଙ୍ଗଳାଙ୍କ ପାଖରେ ନିଜେ ନ ଖାଇ ନ ପିଇ ସାନବୋହୁ ଦେଉଥିବା ଖୁଦରେ ଭାଇମାନଙ୍କର ଶୁଭମନାସୀବା ପାଇଁ  ପୂଜା କରିଲା। ଦିନକୁ ଦିନ ଭାଉଜମାନଙ୍କର ଯାତନା ବଢିବାକୁ ଲାଗିଲା। ଯେତେ ସହିଲେ ବି ସେ ଆଉ ସହିପାରିଲା ନାହିଁ। ଆଉ କଷ୍ଟ ସହି ନପାରି ଦିନେ ଜଙ୍ଗଲରେ କାନ୍ଦି କାନ୍ଦି ରହିଗଲା। ବର୍ଷା ପବନରେ ରାତି କେତେହେଲାଣି ଜାଣି ନପାରି ସେ କାନ୍ଦୁଥାଏ। ନିଜ ଭାଗ୍ୟକୁ ଗାଳି ନିନ୍ଦା କରି ଜୋର୍ ଜୋରରେ କାନ୍ଦି ଚିତ୍କାର କରି ଉଠୁଥିଲା। ତା କାନ୍ଦ ଶୁଣି ସେଠାକୁ ଜଣେ କେହି ଆସିଲେ। କଥା କହି ପଚାରିବାରୁ ଜଣା ପଡିଲା ଯେ ସେ ଥିଲା ତଅପୋଈର ସାନଭାଇ। ଭାଗ୍ୟକୁ ତା ସାତଭାଇ ବର୍ଷକ ପରେ ସେଇଦିନ ଫେରିଆସିଥିଲେ। ସେମାନେ ଘରକୁ ଯିବା ସମୟରେ ଜଙ୍ଗଲରେ କିଏ କାନ୍ଦୁଛି ବୋଲି ଅଟକି ଯାଇଥିଲେ। ସେମାନଙ୍କର ବୋଇତ ଆଉ ସବୁ ଧନ ସମ୍ପତ୍ତି ଜଙ୍ଗଲରୁ ଟିକେ ଦୂରରେ ଠିଆହୋଇଥିଲା। 

ସାନ ଭାଇ ତଅପୋଈକୁ ନେଇ ବୋଇତକୁ ଗଲା। ତା ଠାରୁ ସବୁ କିଛି ଶୁଣି ସାରି ସାଧବପୁଅମାନେ କ୍ରୋଧରେ ଅଜ୍ଞାନ ହୋଇଗଲେ। କିଛି  ସମୟ ପରେ ତଅପୋଈକୁ ସେଠାରେ ଖୁଆଇ ପିଆଇ, ଲୁଗାପଟା ଓ ଅଳଙ୍କାର ପିନ୍ଧାଇ ନିଜ ସହିତ ରଖିଲେ। ସାତବୋହୁଙ୍କ ପାଖକୁ ଖବର ପଠାହେଲା ଯେ ସେମାନେ ତଅପୋଈକୁ ସାଙ୍ଗରେ ନେଇ ଆସି ସକାଳେ ବୋଇତ ବନ୍ଦାଇବେ। ତଅପୋଈକୁ କେଉଁଠି ନପାଇ ସାଧବ ସାତବୋହୁଙ୍କ ମୁଣ୍ଡରେ ବଜ୍ର ପଡିଲା ପ୍ରାୟ ହୋଇ ରାତି ସାରା ଚିନ୍ତିତ ରହିଲେ। ସକାଳ ହେଲାରୁ ସେମାନେ ବୋଇତ ବନ୍ଦାଇବା ପାଇଁ ଆସିଲେ। ଭାଇମାନେ ତଅପୋଈକୁ ଖୋଜିବାରୁ ସେମାନେ ଉତ୍ତର ଦେଲେ ଯେ, ତଅପୋଈର ଦେହ ଭଲ ନାହିଁ, ସେ ଘରେ ଶୋଇଛି। ସାଧବପୁଅମାନେ ବହାନା ଶୁଣି ସାତବୋହୁଙ୍କୁ କହିଲେ ଯେ ବୋଇତ ପଛରେ ଥିବା ମଙ୍ଗଳାଙ୍କୁ ପ୍ରଥମେ ଯାଇ ପୂଜା କରି ଆସିବାକୁ। ବୋହୁମାନେ ଜଣ ଜଣକା ହୋଇ ପୂଜା କରିବାକୁ ଗଲେ ଏବଂ ସେମାନେ ଯାହାକୁ ପୂଜା କରିବା ପାଇଁ ଯାଇଥିଲେ ପ୍ରକୃତରେ ସେ ଥିଲା ତଅପୋଈ। ଭାଇମାନଙ୍କ କଥା ଅନୁସାରେ ସେମାନେ ଦେଇଥିବା ଛୁରୀରେ ଜଣ ଜଣକା କରି ପ୍ରଥମ ଛଅ ବୋହୁଙ୍କ ନାକ କାଟି ପକାଇଲା। ସବା ସାନ ବୋହୂ ଭିତରକୁ ଯିବାରୁ ତାକୁ କୁଣ୍ଢେଇ କାନ୍ଦିବାକୁ ଲାଗିଲା। ଛଅ ବୋହୂଯାକ ନାକ କଟା ପରେ ଲଜ୍ୟାରେ ଜଙ୍ଗଲକୁ ପଳାଇଲେ। ସାତଭାଇ ଓ ସାନବୋହୂ ସହିତ ତଅପୋଈ ଘରକୁ ଫେରିଲେ।

ଛଅ ବୋହୁ ଯାକ କଟା ନାକ ନେଇ ଜଙ୍ଗଲରେ ଲାଜରେ ଲୁଚି ରହିଲେ। ସେମାନେ ନିଜ ବାପ ଘରକୁ ନଯାଇ ବଣରେ ନିଜର ମୃତ୍ୟୁକୁ ଅପେକ୍ଷା କରି ରହିଲେ। ବିରୁପା ନାମକ ଜଣେ ଶବର ସେହି ରାସ୍ତା ଦେଇ ଯାଉଥିବା ସମୟରେ ଛଅ ଜଣ ସ୍ତ୍ରୀ ଲୋକଙ୍କୁ ମୁର୍ଛିତା ଅବସ୍ଥାରେ ଦେଖି, ତାଙ୍କ ପାଖରେ ଅଟକି ଯାଇ ସବୁ କିଛି ଜାଣିବା ପାଇଁ ଚେଷ୍ଟା କରିଲେ। ବିରୁପା ଶବର ଶିବଭକ୍ତ ଥିବା ହେତୁ ସେ ଶିବଙ୍କୁ ଆରାଧନା କଲେ। ସେ ଛଅ ଜଣ ସାଧବବୋହୁଙ୍କ ପୂର୍ନଃ ଜୀବନ ପାଇଁ ପ୍ରାର୍ଥନା କରିବା ପରେ, ଶିବଙ୍କ କୃପାରୁ ସେମାନେ ନିଜର ଜୀବନ ପୁଣି ଥରେ ଫେରିପାଇଲେ।ସେମାନେ ନିଜର ପୂର୍ବ କର୍ମ ପାଇଁ ଲଜ୍ଜିତ ଏବଂ ସେମାନେ ପ୍ରାୟଶ୍ଚିତ କରିବାକୁ ଚହୁଁଛନ୍ତି ବୋଲି କହିଲେ। ଭାଉଜମାନଙ୍କ ବିନା ଭାଇମାନଙ୍କ ମନକଷ୍ଟ କଥା ଜାଣି, ତଅପୋଈ ଭାଇମାନଙ୍କୁ ବଣକୁ ପଠାଇ, ଭାଉଜ ମାନଙ୍କୁ କ୍ଷମା କରି ଘରକୁ ଫେରାଇ ଆଣି, ସମସ୍ତେ ମିଶି ସୁଖରେ ରହିଲେ।

କିଛି ବର୍ଷ ପରେ ସାଧବ ପୁଅମାନେ ତଅପୋଈର ବିଭାଘର ବିରଞ୍ଚି ନାମକ ସାଧବର, ଏକ ମାତ୍ର ସନ୍ତାନ ରତ୍ନାକର ସହିତ ଠିକ୍ କରିଲେ। ଧନ ସମ୍ପତ୍ତି ଓ ସୁନ୍ଦର ସ୍ଵଭାବ ଯୁକ୍ତ ରତ୍ନାକର ସହିତ ତଅପୋଈର, ଅତ୍ୟନ୍ତ ସୁନ୍ଦର ଓ ଅଲୌକିକ ବିଭାଘର ଉତ୍ସବ ସମ୍ପର୍ଣ୍ଣ କରାଗଲା। ଏହି ସମୟ ମଧ୍ୟରେ ତଅପୋଈକୁ ଷୋହଳ ବର୍ଷ ପୁରିବାକୁ ଯାଉଥାଏ। ବିଭାଗର ପରେ ବାପଘରୁ ଅଷ୍ଟମଙ୍ଗଳା ପୂଜା ସାରି ତଅପୋଈ ତା ସ୍ଵାମୀ ସହିତ ଶାଶୁଘରକୁ ଫେରିବା ସମୟରେ ଗୋଟିଏ ଆକାଶବାଣୀ ହେଲା," ତଅପୋଈ ସ୍ବର୍ଗର ଜଣେ ଅପ୍ସରି। ସେ ଅଭିସପ୍ତ ହୋଇ ଷୋହଳ ବର୍ଷ ପାଇଁ ମଣିଷ ଜନ୍ମ ପାଇଥିଲେ, ଏବେ ତାଙ୍କୁ ଷୋହଳ ବର୍ଷ ପୁରି ଯାଇଥିବାରୁ ସେ ତାଙ୍କର ମାନବଲୀଳା ସମ୍ପର୍ଣ୍ଣ କରି ସ୍ଵର୍ଗକୁ ବିଜେ କରିବେ।" ଏହି ସମୟରେ ଗୋଟିଏ ପୁଷ୍ପକ ବିମାନରେ ଗନ୍ଧର୍ବ ଆସି ତାଙ୍କର ବାଟ ଓଗାଳିଲେ। ସ୍ଵଶରୀରେ ତଅପୋଈ ସ୍ଵର୍ଗ ପ୍ରାପ୍ତି ହେଲେ।

ଏହା ପରେ ଲୋକମାନେ କହିଲେ ଯେ ତଅପୋଈ ନିଶ୍ଚୟ ଜଣେ ଦେବୀ ଥିଲେ ନହେଲେ କିଏ କ'ଣ ସୁନାର ଚାନ୍ଦ ମାଗି ପାରିବ ନା କିଏ କ'ଣ ଭାଉଜ ମାନଙ୍କର ଏତେ ଯାତନା ସହିପାରିବ !!! 



ଅପୋଈ ମା ମଙ୍ଗଳାଙ୍କୁ ଖୁଦ ଦେଇ ପୂଜାକରିଥିବାରୁ ଓଡ଼ିଶାର ଅଧିକ ସ୍ଥାନରେ ଏହା ଖୁଦୁରୁକୁଣି ଓଷା ଭାବରେ ପରିଚିତ। କିଛି କିଛି ଜାଗାରେ ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ପ୍ରଚଳିତ। କୁହାଯାଏ ଯେ ତଅପୋଈ ଆତ୍ୟନ୍ତ କଷ୍ଟରେ ମଙ୍ଗଳାଙ୍କୁ ପୂଜା କରି ନିଜ ଭାଇମାନଙ୍କର ସ୍ନେହ ଯତ୍ନ ଫେରି ପାଇଥିଲା। ସେହିପରି ଅବିବାହିତା ଝିଅମାନେ ନିଜ ଭାଇମାନଙ୍କର ଶୁଭ ଓ ମଙ୍ଗଳ ମନାସୀ ସେମାନଙ୍କର ସ୍ନେହ ଯତ୍ନ ପାଇବା ପାଇଁ ଏହି ଓଷା ପାଳିଥାନ୍ତି। 


______________________________________________

* ଏହା ଏକ ଲୋକ କାହାଣୀ। ଲୋକଙ୍କ ମୁଖରେ ସ୍ଥାନ ପାଉଥିବା ଲୋକ କାହାଣୀ, ସମୟର ପରିବର୍ତ୍ତନ ଅନୁଯାୟୀ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ହୋଇଥାଏ ଏବଂ ଏହି ଗଳ୍ପଟି ଆପଣଙ୍କର ସ୍ଥାନୀୟ ଭାଷାରେ ବର୍ଣ୍ଣନା କିଛି ଅଲଗା ହେବାର ମଧ୍ୟ ସମ୍ଭାବନା ରହିଛି।


Comments

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା