ମିକୁ

ବଜାରରୁ କାମ ସାରି ଫେରିଲା ସମୟରେ, ସମୀର ବାବୁଙ୍କ ଝିଅ ସ୍ବାତୀର ନଜର ଯାଇ ପଡିଲା ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ପଡ଼ିଥିବା କୁକୁରଟି ଉପରେ। ସ୍ବାତୀ, ତା ବାପାଙ୍କର ହାତ ଛାଡ଼ି ଦୌଡ଼ି ଯାଇ କୁକୁରଟିକୁ ନିଜ କୋଳକୁ ନେଇ ବାପା ବାପା ବୋଲି ଡାକିଲା। ଝିଅର ପାଟି ଶୁଣି ସମୀର ବାବୁ ଯାଇ ପହଞ୍ଚିଲେ ନିଜ ଝିଅ ପାଖରେ। "ବାପା, ଏ କୁକୁର ର ଗୋଡ଼ ରୁ ବହୁତ୍ ରକ୍ତ ବାହାରୁଛି। ଏହାକୁ ଆମେ ଡ଼ାକ୍ତରଖାନା ନେଇଯିବା।" ବୋଲି ସ୍ବାତୀ କହିବାରୁ ସମୀର ବାବୁ ଦ୍ୱିତୀୟ ବାର ଚିନ୍ତା ନକରି 'ହଁ' କହି ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନାରେ ସେମାନେ ତାର ଠିକ୍ ରେ ଚିକିତ୍ସା କରାଇଲେ। ଡାକ୍ତର ବାବୁ କହିଲେ," କେଉଁ ଗୋଟିଏ ଗାଡ଼ି ଚାପି ଦେଇଥିବାରୁ ଏହାର ଗୋଡ ଭାଙ୍ଗିଯାଇଛି। ଆପଣଙ୍କ ପେଟ୍ ଡ଼ଗ୍ କୁ ଘରକୁ ନେଇଯାଆନ୍ତୁ। ମେଡିସିନ୍ ଲଗାନ୍ତୁ, କିଛି ଦିନ ପରେ ଠିକ୍ ହେଇଯିବ।" "ଏହା ଆମର ପେଟ୍ ଡ଼ଗ୍ ନୁହେଁ, ରାସ୍ତାରେ ପଡିଥିବାର ଦେଖି ମୋ ଝିଅ ତାକୁ ଏଠାକୁ ନେଇ ଆସିଲ।" ବୋଲି, ସମୀର ବାବୁ କହିଲେ। "କିନ୍ତୁ ଆପଣଙ୍କ ଝିଅ କୁ ଦେଖିଲେ ଲାଗୁୁ ନାହିଁ କି ଏହା ଗୋଟିଏ ରାସ୍ତାରେ ପଡ଼ିଥିବା କୁକୁର। ଆପଣଙ୍କ ଝିଅ ଜୀବଜନ୍ତୁ ମାନଙ୍କ ପ୍ରତି ଏତେ ଆଗ୍ରହୀ। ସେ ଯାହାବି ହେଉ, ଏ କୁକୁରଟା ଆପଣମାନଙ୍କ ପାଇଁ ନୂଆ ଜୀବନ ପାଇଲା।" ଏସବୁ ଡାକ୍ତର କହିବା ପରେ ସେମାନେ ଘରକୁ ଫେରିଲେ।

ତା ପରେ ସ୍ବାତୀ ଜିଦ୍ କରିବାରୁ ସେମାନେ କୁକୁରକୁ ଘରକୁ ନେଇଗଲେ। ଘରେ ପହଞ୍ଚିଲା ପରେ ସ୍ବାତୀର ଖୁସି କହିଲେ ନସରେ। "ମା, ମା ଦେଖ ଆମ ଘରେ ଆଜି ଠାରୁ ଆଉ ଗୋଟିଏ ନୂଆ ସଦସ୍ୟ। ଆମ ସହିତ ଏହି କୁକୁର ରହିବ ଆଉ ଏହାକୁ ଆମେ 'ମିକୁ' ବୋଲି ଡାକିବା।" ଛୋଟ ବେଳୁ ସ୍ବାତୀ ର ଜନ୍ମକଲା ମା ନାହାନ୍ତି, ଆଉ ସମୀର ବାବୁ ନିଜ ମା କୁ ମା ବୋଲି ଡାକୁଥିବାର ଶୁଣି ସ୍ବାତୀ ମଧ୍ୟ ତା ଜେଜେମାକୁ ମା ବୋଲି ଡାକେ। ସମୀର ବାବୁଙ୍କ ଠାରୁ ସବୁ କଥା ଶୁଣି ତାଙ୍କ ମା ବି ଖୁସିରେ ଖୁସିରେ କୁକୁରଟିକୁ... ନା ନା..., 'ମିକୁ' କୁ, ନିଜର ଛୁଆ ଭାବି ଘରେ ରଖିଲେ। ସ୍ବାତୀକୁ ଯେପରି ଗୋଟିଏ ନୂଆ ସାଙ୍ଗ ମିଳିଯାଇଥିବାର ଖୁସି ତା ଆଖିରେ ଦିଶୁଥାଏ। 

ଦିନ ବଢିବା ସହିତ ମିକୁ, ଘରେ ସମସ୍ତଙ୍କର ପ୍ରିୟ ହୋଇଯାଉଥାଏ। ସ୍ବାତୀବି ଆଗଠାରୁ ଏବେ ବେଶ୍ ଖୁସିରେ ଥାଏ ଆଉ ତା ଖୁସି ଦେଖି ସମୀର ବାବୁ ଏବଂ ତାଙ୍କ ମା ବି ବେଶ୍ ଖୁସିରେ ଥାଆନ୍ତି। ପ୍ରଥମେ ପ୍ରଥମେ ସମୀର ବାବୁ ମିକୁ ସହିତ ଏତେ ମିଳାମିଶା କରୁ ନଥିଲେ କିନ୍ତୁ ସେ ବି ବେଶି ଦିନ ମିକୁଠାରୁ ଦୂରରେ ରହି ପାରିଲେ ନାହିଁ। ବେଶ୍ କମ୍ ଦିନରେ ମିକୁ, ସମୀର ବାବୁଙ୍କର  ପ୍ରିୟ ହୋଇଗଲା। ଧିରେ ଧିରେ ସମୀର ବାବୁଙ୍କ ସହିତ ମିକୁବି, ସ୍ବାତୀକୁ ସ୍କୁଲରେ ଛାଡିବା ଆଉ ଆଣିବା ପାଇଁ ଯାଏ। ଆଉ ସମୀର ବାବୁ ଅଫିସ୍ ପଳେଇଲା ପରେ ଦିନ ସାରା ମା ପଛରେ ବୁଲୁ ଥାଏ। ଆଉ କିଛି କାମ ନଥିଲେ ଘର ଦୁଆର ମୁହଁ ବନ୍ଦ ପାଖରେ ବାହାରକୁ ଅନାଇ ବସିଥିବ, କିନ୍ତୁ ଘର ଛାଡି କୁଆଡେ ବି ଯାଏନାହିଁ। ଏହି ସବୁ ଭିତରେ ହସ ଖୁସିରେ ଦିନ ବିତିଯାଉଥିଲା।

ସ୍ବାତୀର ମିକୁ ପ୍ରତି ବଢୁଥିବା ସ୍ନେହ ଯତ୍ନକୁ ଦେଖି ତା ଜେଜେମା' ଆଶ୍ଚର୍ଯ୍ଯ ହୋଇଉଠୁଥିଲେ। ଦିନେ ସେ କିଛି ଭାବୁଥିବା ବେଳେ, ସ୍ବାତୀ ଆଉ ମିକୁ ଦୁହେଁ ଆସି ତାଙ୍କ ପାଖରେ ବସିଥିବା ସମୟରେ, ସେ କହିଉଠିଲେ, 







       

"ଜାଣିଛୁ ସ୍ବାତୀ, ତୁ ଆଉ ତୋ ବାପା ଦୁହେଁ ପୁରା ଏକା। ଜୀବ ଜନ୍ତୁ ମାନଙ୍କ ପ୍ରତି ଏମିତି ସବୁବେଳେ ଆଗ୍ରହୀ। ତୋ ବାପା ସମୀର, ଛୋଟ ଥିଲା ବେଳେ ଗାଆଁରେ ଆମ ପାଖରେ ଦୁଇଟି ଗାଈ ଥିଲା। ଚମ୍ପା ଆଉ ଲକ୍ଷ୍ମୀ। ସେ ଗାଈ ଦୁଇଟାକୁ ସମୀର ବହୁତ୍ ଆଧିକା ସ୍ନେହ କରେ, ତୁ ଯେମିତି ମିକୁ କୁ ଏତେ ସ୍ନେହ କରୁ ଠିକ୍ ସେମିତି। ସମୀର ସକାଳୁ ସ୍କୁଲ ଯାଏ ଆଉ ବଣକୁ ଗାଈ ଗୋଠ ସହିତ ଗାଈ ମାନେ ଯାଆନ୍ତି। ଆଉ ଠିକ୍ ଚାରିଟା ବେଳେ ଗୋଟିଏ ସମୟରେ ସମୀର ଆଉ ଗାଈ ମାନେ ଘରକୁ ଫେରନ୍ତି। ସମୀର ଜଲ୍ଦି ଜଲ୍ଦି ନିଜ କାମ ସାରି ଗାଈ ମାନଙ୍କ ପାଖରେ ଯାଇ ବସିଥାଏ ଆଉ ସେମାନଙ୍କ ମୁହଁକୁ ଆଉଁସି ଦେଉଥାଏ। ଗାଁରେ ଆମ ଘରକୁ ଳଗିକି  ଗାଈ ଗୁହାଳ। ଦୁଷ୍ଟାମୀ ପାଇଁ ସମୀର ମୋ ପାଖରୁ ଗାଳି ଖାଇଲେ, ଦୌଡ଼ି ଯାଇ ସେଇ ଗୁହାଳ ଘରେ ବସିଥାଏ ଆଉ ସେଇ ଚମ୍ପା, ଲକ୍ଷ୍ମୀଙ୍କୁ କାନ୍ଦି କାନ୍ଦି ମୋ ବିରୁଧରେ କହୁଥାଏ। ସେମାନେ ବି ସବୁ ବୁଝିଲା ପରି ତାର ସବୁ କଥା ଶୁଣନ୍ତି। ଭଗବାନ ସିନା ଜୀବଜନ୍ତୁଙ୍କୁ ମଣିଷ ଭଳି କଥା କହିବା ଶକ୍ତି ଦେଇନାହାନ୍ତି, ତଥାପି ସେମାନେ କୌଣସି ନା କୌଣସି ଭାବରେ ନିଜ ମନର କଥା ପ୍ରକାଶ କରିଦିଅନ୍ତି। 

  ତୁ ଜାଣିଛୁ ସ୍ବାତୀ, ଗାଁ ଗୋଠରୁ ସବୁ ଗାଈ ଫେରିଲା ବେଳେ ଏଣେ ତେଣେ ସମସ୍ତଙ୍କର ବାଡ଼ି ଘରେ ପଶି ଗଛ ପତ୍ର ନଷ୍ଟ କରିଦିଅନ୍ତି, କିନ୍ତୁ ଆମ ଗାଈ ଦୁହେଁ ସୁନା ପିଲାଙ୍କ ପରି ସିଧା ସିଧା ଆମ ଘରକୁ ଆସିଯାଆନ୍ତି। ଗାଁ ରେ ସମସ୍ତେ କୁହନ୍ତି, ସମୀର ସହିତ ଗାଈ ଦୁଇଟାକୁ ମିଶାଇ ମୋର ତିନୋଟି ଛୁଆ। ସମୀର ଯେତେବେଳେ ପାଠ ପଢିବା ପାଇଁ ବାହାରକୁ ପଳେଇଲା ସେତେବେଳେ ମୋ ପାଖରେ ଖାଲି ସେଇ ଦୁଇଟା ଗାଈ ଥିଲେ ଯାହାଙ୍କ ପାଇଁ ମୋର ପୁରା ଦିନ କେମିତି କଟି ଯାଏ ଜଣା ପଡେ ନାହିଁ। ଆମର ସୁଖ ଦୁଃଖ, ସବୁ ସମୟର ସାଥି। କିନ୍ତୁ ଭାଗ୍ୟ ବିଡମ୍ବନା ଦେଖ, କଣ ଥିଲା ଆଉ କଣ୍ ହେଲା। 

   ଚମ୍ପାର ଗୋଡରେ ଏମିତି କ'ଣ ରୋଗ ହେଲା ଯେ ଆଉ ସେ ଭଲ ହେଲା ନାହିଁ। ଆଜିକାଲି ତ ଚାରିଆଡ଼େ ପଶୁ ଡାକ୍ତରଖାନା ଯାହା ପାଇଁ ତୁ ଆଉ ତୋ ବାପା ସଙ୍ଗେସଙ୍ଗେ ମିକୁକୁ ଡାକ୍ତର ପାଖକୁ ନେଇଗଲ, ଯାହା ବଦଳରେ ମିକୁ ଆଜି ଆମ ସହିତ ଅଛି। ସେତେବେଳେ କିନ୍ତୁ ଆମ ଚାରି ଖଣ୍ଡ ଗାଁରେ, ଏମିତି ଗୋଟେ ବି ଡାକ୍ତରଖାନା, କି ଗୋଟେ ଅଧେ ଡାକ୍ତର, କେହି ବି ନଥିଲେ। ଚମ୍ପା ଟା ରୋଗୀ ହୋଇ ଘରେ ପଡିରହିଲା ଆଉ ଲକ୍ଷ୍ମୀ ଏକୁଟିଆ ବୋଲି ଯେ ବଣକୁ ଗଲା ନାହିଁ, କି ଭଲରେ ଖାଦ୍ୟ ବି ଖାଇଲା ନାହିଁ। ଏମିତି ଧିରେ ଧିରେ ଦୁଇଟା ଯାକ ଗାଈ ଘରେ ପଡି ରହିଲେ। ଯାହା ଯେପରି କିଛି ଔଷଧ ଖାଇ ବେଶୀ ଜୋର୍ ରେ ଗୋଟେ ମାସ ବଞ୍ଚିଲା। ରୋଗରେ ପଡି ପଡି ଚମ୍ପାର ଜୀବନ ଟା ଗଲା।

  ଆଉ ରହିଲା ଲକ୍ଷ୍ମୀ , ଯେ ସବୁବେଳେ କାନ୍ଦୁ ଥାଏ। ସେ ସମୟରେ ମୁଁ ସମୀରକୁ ଯେତିକି ଝୁରୁଥାଏ, ଲକ୍ଷ୍ମୀ ବି ସେତିକି ଝୁରୁଥାଏ କିନ୍ତୁ, ମୁଁ ମୁହଁ ରେ କହିଦେଉଥିଲି ଆଉ ଲକ୍ଷ୍ମୀ କିଛି କହିପାରୁନଥିଲା। ଧିରେ ଧିରେ ଲକ୍ଷ୍ମୀ ବି ଖାଦ୍ୟ ଛାଡି ଦେଲା, ଯାହା ପାଇଁ ବାଧ୍ୟ ହୋଇ ମୁଁ ତାକୁ ଗାଈଗୋଠରେ ଛାଡ଼ିଲି। କିନ୍ତୁ ତା ମନ ସେଠି ବି ଲାଗିଲା ନାହିଁ ଆଉ ଦୁଇ ତିନି ମାସ ପରେ, ଦିନେ ଲକ୍ଷ୍ମୀ ଗାଈଗୋଠରୁ ଘରକୁ ଫେରିଲା ନାହିଁ। ତାକୁ ଆମେ ବହୁତ୍ ଖୋଜିଲୁ, ବଣ, କ୍ଷେତ, ପଡିଆ ଚାରିଆଡ଼େ ଖୋଜିଲୁ, କିନ୍ତୁ କେଉଁଠି ହେଲେ ବି ପାଇଲୁ ନାହିଁ। ଏମିତି ହୋଇ ମୋର ଦୁଇଟି ଗାଈ ମୋ ଠାରୁ ଦୂରେଇ ଗଲେ। ତୋ ବାପା ସମୀର, ଯେବେ ଘରକୁ ଫେରି ଦେଖିଲା ଯେ ତାର ଚମ୍ପା ଲକ୍ଷ୍ମୀ ନାହାନ୍ତି, ବହୁତ୍ କନ୍ଦିଲା ଆଉ ହଜି ଯାଇଥିବା ଲକ୍ଷ୍ମୀ କାଳେ ମିଳିଯିବ ବୋଲି ଚାରିଆଡେ, ସବୁ ଗାଈ ଗୋଠରେ ବହୁତ୍ ଖୋଜିଲା କିନ୍ତୁ ଲକ୍ଷ୍ମୀ ଆମକୁ କେବେ ମିଳିଲା ନାହିଁ। ସେହି ଦିନ ଠାରୁ ଆମ ଘରେ ଆଉ କୌଣସି ଗୋଟିଏ ବି ଗାଈ, କୁକୁର, ଚଢେଇ,କି  କିଛି ବି ପାଳିତା ପଶୁପକ୍ଷୀ କେହି ବି ନଥିଲେ।

  ତୁ ଯେବେ ମିକୁ କୁ ଘରକୁ ନେଇ ଆସିଥିଲୁ, ତୋ ମୁହଁ ରେ ମୁଁ ସେଇ ଖୁସି ଦେଖିଥିଲି ଯେଉଁଟା ଛୋଟବେଳେ  ସମୀର ର ମୁହଁରେ ଦେଖିଥିଲି, ଆଉ ମୋ ସମୀର ମୁହଁ ରେ ସେଇ ପୁରୁଣା ଖୁସି ପୁଣି ଥରେ ଦେଖିଲି।

  

ଜାଣିଛୁ ମା ସ୍ବାତୀ, ପାଳିତା ପଶୁ ପକ୍ଷୀ ଠିକ୍ ଆମ ନିଜର ସନ୍ତାନ ପରି, ସେମାନଙ୍କୁ ବି ମଣିଷ ପରି ସ୍ନେହଶ୍ରଦ୍ଦା ଦରକାର। ତୁ ଯେମିତି ମିକୁର ଧ୍ୟାନ ରଖୁଛୁ, ମିକୁ ବି ଠିକ୍ ସେଇ ପରି ଆମର ଧ୍ୟାନ ରଖେ। ସେମାନଙ୍କୁ ଆମେ ଟିକେ ସ୍ନେହ ଦେଲେ, ସେମାନେ ଆମକୁ ଅପାର ସ୍ନେହ ଦିଅନ୍ତି। ତୁ ଏବେ ଛୋଟ ଅଛୁ ଆଉ ଧିରେ ଧିରେ ବଡ଼ ହେବୁ, ପାଠ ପଢା ସହିତ ଆହୁରି ଅନେକ କାମ କରିବୁ କିନ୍ତୁ ଏସବୁ ଭିତରେ ନିଜ ଲୋକଙ୍କୁ, ମିକୁ କୁ ସମୟ, ସ୍ନେହ ଶ୍ରଦ୍ଧା ଇତ୍ୟାଦି ଦେବାକୁ ପଡ଼ିବ ଆଉ ତା ସହିତ ନିଜର ଆଉ ମିକୁର ଧ୍ୟାନ ରଖିବାକୁ ପଡ଼ିବ।"

ଜେଜେମା' ଏତିକି କହି ସାରିଲା ପରେ ଦେଖିଲେ, ସ୍ବାତୀ ଆଉ ମିକୁ ଦୁହେଁ ତାଙ୍କୁ ଏକା ପରି ଚାହିଁ ରହିଛନ୍ତି। ଏମିତି ଲାଗୁଥିଲା ମିକୁ ଯେପରି ଜେଜେମା'ଙ୍କ କଥା ସବୁ ବୁଝିଯାଇ 'ହଁ' ବୋଲି କହୁଛି।


Comments

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା