କଲୁରୀବେଣ୍ଟ କଥା
ବୁଢୀଟିଏ ଦିନେ ତା ଘର ଓଳାଉ ଓଳାଉ କଲରା ମଞ୍ଜିଟିଏ ପାଇଲା। ତାକୁ ନେଇ ବାଡ଼ିରେ ମନ୍ଦା ଖୋଳି ପୋତି ପକାଇଲା। ସେଥିରେ ମୁନ୍ଦାଏ ପାଣି ଦେଇ କହିଲା, "କଲରା ମଞ୍ଜି ରେ କଲରା ମଞ୍ଜି, କାଲିକି ଯଦି ତୁ ଗଜା ହେଇଥିବୁ ତ ହେଇଥିବୁ ନହେଲେ ମାମୁଁଘର କୁରାଢୀରେ ତତେ ଦି ଗୋଡ କରି ହାଣିବି।" ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସତକୁ ସତ କଲରା ମଞ୍ଜିରୁ ଗଜାଟିଏ ବାହାରିଛି। ବୁଢୀ କହିଲା," ହୁଁ...ଗଜା ନହୋଇ ଯିବୁ କୁଆଡେ!" ପୁଣି ସେଦିନ ସଞ୍ଜ ବେଳକୁ ଯାଇ କଲରାଗଜାକୁ ଡରାଇ କହିଲା, "କଲରା ଗଜାରେ କଲରା ଗଜା, କାଲିକି ଯଦି ତୁ ଦି ଦି ପତ୍ର ନ ହୋଇଥିବୁ ତେବେ, ରଜାଘର କଟୁରୀରେ ତତେ ହାଣିବି।" ସତକୁ ସତ ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସେଥିରେ ଦି ଦି ପତ୍ର ବାହାରିଛି। ବୁଢୀ କହିଲା," ହୁଁ...ନ ହୋଇ ଯିବୁ କୁଆଡେ!" ନିତିନିତି ବୁଢୀ ଏମିତି ପାଣି ଟୋପାଏ ଟୋପାଏ ଦିଏ ଆଉ ଗଛକୁ ଡରାଏ। ଦେଖୁଦେଖୁ ଦିନ କେତେଟାରେ ଗଛରେ ଦି ପତ୍ରରୁ ଚାରି ପତ୍ର ହେଲା, ବହୁତ ଗୁଡାଏ ମାଡ଼ିଲା। ଗଛଟିର ଏମିତି ମାଡିବା ଦେଖି ବୁଢୀ ତା ଲାଗି ରଞ୍ଜାଟିଏ ତିଆରି ଦେଲା। ଗଛଟି ସେଇ ରଞ୍ଜାରେ ମାଡ଼ିଲା। କିଛିଦିନ ପରେ ସେଥିରେ କଲରା କଷିଟିଏ ଧରିଲା। ବୁଢୀ ସେ କଷିଟିକୁ ନିଇତି ଯାଇ ଦେଖେ କିନ୍ତୁ, ତାର ସାହସ ପାଏନି ତୋଳିବାକୁ। ରଞ୍ଜାରେ ଥାଇ କଲରାଟି ପାଚିଲା। ପାଚିଲା କ...