ଚିଠି
16 ତରିଖ ଦିନ ସକାଳ 10:45 ରେ ଡାକବାଲା ଘରକୁ ଆସି ଚିଠି ଟା ରୂପା ହାତରେ ଦେବା ପରେ ସେ ଜୋରରେ ଦୌଡ଼ି ଯାଇ, ତା ମା ପାଖରେ ପହଞ୍ଚି ଖୁସିରେ କହିଲା," ମା, ଭାଇ ପାଖରୁ ଚିଠି ଆଉ ଟଙ୍କା ଆସିଛି।" ଏହା ଶୁଣି ରୂପା ର ମା ଘର ଭିତରୁ ଦୌଡ଼ି ଆସି ରୂପା ହାତରୁ ଚିଠି ଟା ଧରି ନେଲେ। ମାଆର ମନରେ ହଠାତ୍ ଅଜଣା ଭୟ ଘର କରିନେଲା। ଭୟ ରେ ଟିକେ ଅସ୍ଥିର ହୋଇ, ନିଜ ମନ କୁ ବୁଝେଇ ପୁଅ ର ଖବର ଜାଣିବା ଆଶା ରେ ଚିଠି ଟା ନେଇ ଖୋଲିବାକୁ ଆରମ୍ଭ କରିଲେ। ଠିକ୍ ଏହି ସମୟ ରେ କୁଆଡୁ କେଜାଣି ଗାଆଁ ର ସାହୁକାର ଆଉ ତାଙ୍କ ଗୁମସ୍ତା ଆସି ସେଠାରେ ପହଞ୍ଚିଗଲେ।ରୂପା ଆଉ ତା ମା କିଛି କହିବା ପର୍ବରୁ ତାଙ୍କ ହାତରୁ ଚିଠି ଆଉ ଟଙ୍କା ଛଡାଇ ନେଇ ଟଙ୍କା ହିସାବ କରିବା ପାଇଁ ଗୁମାସ୍ତା କୁ ଦେଲେ। ଗୁମାସ୍ତା ପଇସା ଗଣି କଣ ସବୁ ହିସାବପତ୍ର କରିବାକୁ ଲାଗିଲେ ।
ରୂପା ପାଇଁ ଏପ୍ରକାର ବ୍ୟବହାର କିଛି ନୂଆ ନଥିଲା, ତଥାପି ସେ ବିକଳ ଦୃଷ୍ଟି ରେ ସାହୁକାରଙ୍କୁ ଓ ତା ମାଆଙ୍କୁ ଦେଖୁଥାଏ। ଦେଖୁଥାଏ ତା ମାଆ ଆଖିରେ, ଲୁହର ସମୁଦ୍ର ରେ ଜୁଆର ଆସିଯାଇଥାଏ। ଗୁମାସ୍ତା ହିସାବ କିତାବ କରସାରି ରୂପାର ମାଆକୁ କହିଲେ," ତୋର ଆହୁରି କୋଡିଏ ହଜାର ଟଙ୍କା ସୁଧ ରହିଲା, ଆଗେ ସୁଧ ପଇସା ଦେବୁ ତା ପରେ ଯାଇ ମୂଳ ପଇସା କଥା ଦେଖିବା। "
ଏତିକି କହିବା ପରେ ସାହୁକାର ବାବୁ ଆଗ ଭଳି ଚିଠି ଟାକୁ ଚିରି ଦେବା ପାଇଁ ଉଦ୍ୟମ କରିଲେ। ଏଇ ସମୟ ରେ ରୂପା ଓ ତା ମାଆ ସାହୁକାରଙ୍କ ଗୋଡ଼ ତଳେ ପଡି କାକୁତି ମିନତୀ ହୋଇ କହିଲେ," ଆପଣଙ୍କୁ ଟଙ୍କା ପଇସା ଯାହା ନେବାର ଅଛି ନେଇ ଯାଆନ୍ତୁ ସାଆନ୍ତେ, କିନ୍ତୁ ଏଥର ଏଇ ଚିଠି ଟା ଦେଇ ଦିଅନ୍ତୁ । ଏତିକି ଦୟା କରନ୍ତୁ, ଦୁଇ ବର୍ଷ ହେଲାଣି ମୋ ପୁଅ କେମିତି ଅଛି ଜଣା ନାହିଁ, ସବୁବେଳେ ଆପଣ ଚିଠି ଟା ଚିରି ଦିଅନ୍ତି , ଟିକେ ତ ଦୟା କରନ୍ତୁ ସାନ୍ତେ।" କାନ୍ଦି କାନ୍ଦି ମା ଝିଅ ଦୁହେଁ ସାହୁକାର ଆଉ ଗୁମସ୍ତା ପାଦ ତଳେ ପଡି ରହିଲେ।
ଗୁମାସ୍ତା, ସାହୁକାରଙ୍କ କାନ ପାଖରେ ଧିରେ କି କହିଲେ," ବାବୁ ଚିଠି ଟାକୁ ଦେଇ ଦେଉ ନାହାନ୍ତି, ଏ ମା ଝିଅ ଦୁହେଁ ଜୀବନରେ ସ୍କୁଲ ଦେଖି ନାହାନ୍ତି କି, ଏ ମାନଙ୍କୁ ପାଠ ର ଦି ଅକ୍ଷର ବି ଜଣା ନାହିଁ, ଚିଠି ଟା ପାଇଲେ ବି କିଛି ଲାଭ ନାହିଁ। ଗାଆଁ ରେ କେତେଟା ବା ଲୋକ ପଢି ଜାଣିଛନ୍ତି ଯେ, କିଏ ବା ଏମାନଙ୍କୁ ପଢି ଶୁଣେଇବ। ଦେଇ ଦିଅନ୍ତୁ ।" ଏସବୁ ଶୁଣି ସାହୁକାର ବାବୁ ଚିଠିଟା ଫୋପାଡ଼ି ଦେଇ, ଯଥା ଶୀଘ୍ର ସବୁ ପଇସା ସୁଝିବାକୁ କହି ସେଠାରୁ ବାହାରି ଚାଲି ଗଲେ। ତାଙ୍କ ପଛେ ପଛେ ଗୁମାସ୍ତା, " ଦିଟା ଯାକ ଭାଗ୍ୟବାନ୍, ଆମ ବାବୁ ବହୁତ ଭଲ ଲୋକ ନହେଲେ ଏ ଗାଁରେ ରହିପାରିନଥାନ୍ତ, ଶୀଘ୍ର ପଇସା ସବୁ ଫେରେଇଦେବ" ଏସବୁ କହି ଚାଲିଗଲେ।
ରୂପା ଓ ତା ମାକୁ ସତେ ଯେପରି ସ୍ଵର୍ଗ ର ଦରବ ଟିଏ ମିଳିଗଲା ପରି, ଖୁସି ରେ ସେ ଚିଠି ଟା ଖୋଲି ନିଜ ପୁଅ କୁ ପାଖରେ ପାଇଲା ପରି ଅତି ଆଦରରେ ଧରିଲେ କିନ୍ତୁ, ଦୁଃଖ ର ବିଷୟ ଏହା ଯେ, ସେମାନଙ୍କ ହାତ ରେ ଚିଠି ଥାଇ ମଧ୍ୟ ସେଥିରେ କଣ ଲେଖା ହେଇଛି ତାହା ଜାଣିବା ଥିଲା ଅସମ୍ଭବ। ଆଗରୁ ତ ସେ ଚିଠି ଖଣ୍ଡକ ବି ତାଙ୍କ ଭାଗ୍ୟ କୁ ନଥାଏ । ଯାହାହେଉ ପଛକେ ଆଜି ଚିଠି ଟା ହାତ ରେ ହେଲେ ଅଛି। ରୂପାର ମନରେ ଗୋଟିଏ ନୂଆ ଆଶା ଘର କରିନେଲା। ତାକୁ କେମିତି ପଢିବ, ସେଥିରେ ଭାଇ କଣ ଲେଖିଛି , ତା ଭାଇ କେମିତି ଅଛି ଏ ସବୁ ସେ କେମିତି ଜାଣିବ, ମନେ ମନେ ଭାବିବାକୁ ଲାଗିଲା।
ତା ପର ଦିନ ରୂପା ସକାଳ ନ ପାହିବା ଆଗରୁ ଯାଇ ସାହୁକାରଙ୍କ ଘର ପଛ ପଟେ ହାଜିର୍। ଘର ପଛ ଝରକା ପଟେ ଅନାଇ ରହିଲା। ସେହି ଝରକା ଥିଲା ସାହୁକାରଙ୍କ ଗୋଟିଏ ବୋଲି ଝିଅ ପଦ୍ମାର, କୋଠରିର ଝରକା। ପଦ୍ମା ଓ ରୂପା ସମାନ ବୟସର ଏବଂ ପଦ୍ମା ପାଠ ପଢିଛି। ରୂପା ଏ ବି ଜାଣିଛି ଯେ ତାକୁ ଯଦି ଚିଠି ଟା ପଢିବାରେ କିଏ ସାହଯ୍ୟ କରିବ ସେ ହେଲା ପଦ୍ମା। କାରଣ ସେମାନେ ହେଲେ ଅଛୁଆଁ ଜାତିର ଲୋକ, କିଏ କାହିଁକି ବା ତାଙ୍କୁ ଚିଠି ପଢିବାରେ ସାହଯ୍ୟ କରି ସହୁକାରଙ୍କ ସଙ୍ଗେ ଶତ୍ରୁତା କରିବ ! ରୂପାର ମନରେ ଆଶା ଥାଏ ଯେ ପଦ୍ମା ସେ ଚିଠି ଟା ପଢି ଶୁଣେଇଦେବ। ରୂପା ବହୁତ ସମୟ ଧରି ଝରକା ପାଖରେ ଠିଆ ହୋଇଥାଏ, ଏପଟେ ପଦ୍ମା ବି ରୂପା କୁ ଦେଖୁଥାଏ କିନ୍ତୁ, ତା ବାପା ଙ୍କ ଡରରେ କାହାକୁ କିଛି କହୁ ନଥାଏ । ବହୁତ ସମୟ ଠିଆ ହେବା ପରେ ରୂପା ଘରକୁ ଫେରି ଆସିଲା। ଏତେ ସକାଳୁ କୁଆଡେ ଯାଇଥିଲା, ତା ମା ପଚାରିବାରୁ ରୂପା କହିଲା ସେ ଗାଁ ମୁଣ୍ଡ ପୋଖରୀ ପାଖକୁ ଯାଇଥିଲା।
ତା ପର ଦିନ ପୁଣି ସକାଳୁ ସକାଳୁ ରୂପା ଚିଠି ଟାକୁ ସାଙ୍ଗରେ ନେଇ ସାହୁକାରଙ୍କ ଘର ପଛପଟରେ। ଆଜି ବି ସେ ବହୁତ ସମୟ ଠିଆ ହୋଇ ରହିଲା କିନ୍ତୁ, ସାହୁକାରଙ୍କ ଝିଅ ବାହାରକୁ ଆସିଲା ନାହିଁ କି ଚିଠିରେ କଣ ଲେଖା ହେଇଛି ଜାଣି ପାରିଲା ନାହିଁ। ଆଜି ବି ନିରାଶ ହୋଇ ଘରକୁ ଫେରିଲା ।ଏହି ପରି ଛ' ସାତ ଦିନ ହେଲାଣି ସବୁଦିନ ମନରେ ଆଶା ନେଇ ସାହୁକାରଙ୍କ ଘର ପଛପଟେ ଠିଆ ହେଇ ଖାଲି ହାତ ରେ ଫେରୁ ଥାଏ ସତ କିନ୍ତୁ, ମନ ରେ ଆଶା ର ଆଲୋକ ଲିଭି ନଥାଏ । ଗରିବ ଅଛୁଆଁ ଝିଅଟି ପାଖରେ କିଛି ଅଛି ଯଦି, ତାହା ହେଉଛି ଟିକିଏ ମାତ୍ର ଆଶା । ସବୁ ଦିନ ନିରାଶର ସହିତ ଫେରିଲେ ମଧ୍ୟ ମନରେ ଆଶା ନେଇ ଯାଉଥାଏ ଯେ ସେ ଚିଠିରେ କଣ ଲେଖା ହେଇଛି ଜାଣିବ, ଭାଇ କେମିତି ଅଛି ଜାଣିବ !
ଏମିତି ଦିନେ ମନରେ ଆଶା ନେଇ ସାହୁକାର ଙ୍କ ଘର ପଛ ପଟେ ଠିଆ ହୋଇ ଘର ଭିତରକୁ ଦେଖୁଥାଏ। ବହୁତ ସମୟ ଠିଆ ହେଲେ ମଧ୍ୟ ଆଜି ଆଉ ସେ ପଦ୍ମା କୁ ଦେଖିବାକୁ ପାଇଲା ନାହିଁ। କାଲି ପୁଣି ଆସିବ ଭାବି, ନିଜ ମନକୁ ବୁଝାଇ ଫେରୁ ଥାଏ। ଫେରିଲା ବେଳେ ହଠାତ୍ ପଦ୍ମାକୁ ସାମ୍ନାରେ ଦେଖି ଚିଠି ଟାକୁ ଲୁଚେଇଦେଲା । ଇଏ କିଏ, ଜାଣିବା ଆଶା ରେ ପଦ୍ମା, ରୂପା କୁ ଧରି ପକେଇଲା ଓ ପଚାରିବାକୁ ଲାଗିଲା ଯେ ସେ କିଏ? ସେ କାହିଁକି ସବୁ ଦିନ ତାଙ୍କ ଘର ପଛ ପଟେ ଠିଆ ହୋଇ ଘର ଭିତରକୁ ଦେଖୁଛି ? ରୂପାକୁ କିଛି ମନେ ପଡିଗଲା ପରି, ହଠାତ୍ ପଦ୍ମା ଠାରୁ ଦୁଇ ହାତ ଦୁରକୁ ଯାଇ କହିଲା," ଆମେ ଅଛୁଆଁ ଜାତିର ଲୋକ, ଆମକୁ ଛୁଇଁଲେ ପାପ ହେବ, ତେଣୁ ଆପଣ ଆମଠୁ ଦୂରେଇ ରୁହନ୍ତୁ। " ଏତିକି କହି ରୂପା ଦୌଡ଼ି ପଳେଇଲ। ପଦ୍ମା କିଛି ବୁଝିପାରିଲା ନାହିଁ। ଯାହା ହେଲେ ବି ପଦ୍ମା ତେର ଚଉଦ ବର୍ଷ ର ଛୁଆ, ସେ ବା କଣ ଜାଣିଛି ଛୁଆଁ ଅଛୁଆଁ ?
ପୁଣି ତା ପର ଦିନ ରୂପା ଠିକ୍ ସେଇ ସମୟ ରେ ସାହୁକାରଙ୍କ ଘର ପଛ ପଟେ। କିନ୍ତୁ, ଆଜି ରୂପା ଆଗରୁ ପଦ୍ମା ସେଠାରେ ଠିଆ ହୋଇଛି। ପଦ୍ମା ମୁଖରେ କାଲି ପରି ଆଜି ବି ସେଇ ପ୍ରଶ୍ନ। ସେ ରୂପା ପାଖକୁ ଯାଇ ପଚାରିଲା," ତୁ ବାରମ୍ବାର କାହିଁକି ଆମ ଘର ପଛକୁ ଆସୁଛୁ, ଆଉ କାହାକୁ କିଛି ନ କହି ଫେରି ପଳାଉଛୁ ? " ରୂପା, ପଦ୍ମା ଠୁ ଟିକେ ଦୂରେଇ ଗଲା । ଆଜି ରୂପା ନିଜ ମନରେ ଆଶା ସହିତ କିଛି ସାହସ ନେଇ ଆସିଛି। ସେଇ ସାହସର ସହିତ ସେ ଚିଠି ଟା ପଦ୍ମା ଆଗରେ ରଖି କହିଲା," ଏଟା ମୋ ଭାଇ ର ଚିଠି, ଛ'ସାତ ଦିନ ହେଲାଣି ଆସିଲାଣି, ଆଗରୁ ବି ଭାଇର ଚିଠି ଆସେ କିନ୍ତୁ କେବେ ଚିଠି ଟା ମିଳେନି। ମା କହେ, ଆମେ ଅଛୁଆଁ ଜାତି ର ଲୋକ, ଆମେ ପାଠ କଣ ଜାଣିନୁ। ଆମକୁ ଯଦି ଦି ଓଳି ଖାଇବାକୁ ମିଳିଲା, ସେ ବି ବହୁତ। ଭାଇ ସେଠି ତା ସାଙ୍ଗ ହାତରେ ଚିଠି ଲେଖି ପଠାଏ। ମୋ ଭାଇ ଦୁଇ ବର୍ଷ ହେଲାଣି ଘରକୁ ଆସିନି, ସେ କେମିତି ଅଛି, କଣ କରୁଛି ଆମେ କିଛି ଜାଣିନୁ। ଦୟା କରି ଏଇ ଚିଠି ଟା ପଢି ଦିଅନ୍ତୁ, ଏତିକି ଦୟା କରନ୍ତୁ। " ଏତିକି କହି ରୂପା କାନ୍ଦିବାକୁ ଆରମ୍ଭ କଲା।
ରୂପା ପାଖରୁ ଏସବୁ ଶୁଣି ପଦ୍ମା କଣ ଭାବିବାକୁ ଲାଗିଲା ଆଉ ତା ହାତ ରୁ ଚିଠି ଟା ନେଇ ପଢିବାକୁ ଲାଗିଲା।
"ସୁରଦେବୀ ପାତ୍ର,
ଆପଣଙ୍କୁ ଏହା ଜାଣି ଗର୍ବ ଅନୁଭବ ହେବ ଯେ, ଆପଣଙ୍କ ପୁଅ ଶ୍ରୀ ବିଷ୍ଣୁ ପାତ୍ର 13 ଜଣ ଜବାନ ଙ୍କ ଜୀବନ ରକ୍ଷ୍ୟା କରିଛନ୍ତି। ଗତ 10 ତରିଖ ଦିନ ସନ୍ଧ୍ୟା 6 ଟାରେ ଆମ ସୀମା ରେ ଶତ୍ରୁ ଆକ୍ରମଣ କରିଥିଲେ। ଶ୍ରୀ ବିଷ୍ଣୁ ପାତ୍ର ବୀର ଦର୍ପ ରେ ନିଶସ୍ତ୍ର ହେଲେ ମଧ୍ୟ ଶତ୍ରୁ ସହିତ ଲଢି ସେମାନଙ୍କର ଜୀବନ ନଷ୍ଟ କରିଛନ୍ତି। ସେ ନିଜ ଜୀବନ ବଦଳ ରେ 13 ଜଣ ଜବାନ ଙ୍କ ଜୀବନ ଦାନ କରିଛନ୍ତି। ସେଠାରେ ତିନି ଦିନ ଧରି ଶହୀଦ୍ ଜବାନ ମାନଙ୍କର ମୃତ ଶରୀର ଖୋଜା ହେଲା। ଆପଣଙ୍କୁ ଏହା ଜଣାଇ ଦୁଃଖ ଲାଗୁଛି ଯେ ସେ ଶହୀଦ୍ ଜବାନ ମାନଙ୍କ ଶରୀର ମଧ୍ୟରେ ଶ୍ରୀ ବିଷ୍ଣୁ ପାତ୍ର ଙ୍କ ଶରୀର ମିଳିପାରିନାହିଁ।
ଏହି ମାସ 21 ତାରିଖ ଦିନ ଆପଣଙ୍କ ଶହୀଦ୍ ପୁତ୍ର ର ସମ୍ବର୍ଧନା କରାଯିବ। ଆପଣ ଏବଂ ଆପଣଙ୍କ ପରିବାର କୁ ଏଠାରେ ଉପସ୍ଥିତ ରହି, ମେଡାଲ ଗ୍ରହଣ କରିବାକୁ ଅନୁରୋଧ କରାଯାଉଛି। ଶ୍ରୀ ବିଷ୍ଣୁ ପାତ୍ର ଙ୍କ ପରି ପୁତ୍ର ପାଇ ଭାରତ ମାତା ଆଜି ଗର୍ବ ଅନୁଭବ କରୁଛି।
।।ଜୟ ହିନ୍ଦ୍
ଜୟ ଭାରତ।।"
ଚିଠି ପଢି ସାରି ପଦ୍ମା, ରୂପା କୁ ଦେଖିଲା। ଏସବୁ ଶୁଣି ରୂପା, ପଦ୍ମା କୁ ପଚାରିଲା," ଆଜି କେତେ ତରିଖ !" ପଦ୍ମା ବାସ୍ ଏତିକି କହିଲା, " ଆଜି 24 ତରିଖ !!!"
©2020 Archana Abhilipsa Jena

ଅତି ସୁନ୍ଦର!
ReplyDeleteSundar gapa to.. keep it up.
ReplyDeleteNice one ....Deep mining story...lovely
ReplyDeleteBahut sundar lekhichhu
ReplyDeleteAwsm one dii
ReplyDeleteBahut sunder story 👍
ReplyDeleteAmazing word 💖💖
ReplyDelete👌👌❤️
ReplyDelete👌👌❤️
ReplyDeleteProudly Indian 🇮🇳
ReplyDeleteJay Hind
and that last line... heart throbbing
ReplyDeleteବହୁତ ସୁନ୍ଦର କାହାଣୀ
ReplyDeleteଅକୁହା ବ୍ୟଥା ଏବଂ କ୍ଷୁଦ୍ର ଆଲୋକ ର ସ୍ୱର ମଉଳି ଯିବା ର ସ୍ପଷ୍ଟ ଚିତ୍ର। ଧନ୍ଯବାଦ।
Nice👌👌
ReplyDelete👌
ReplyDeleteଅତ୍ୟନ୍ତ ଶୋକଭରା ଏକ ହୃଦୟସ୍ପର୍ଶୀ କ୍ଷୁଦ୍ର ଗଳ୍ପ ।
ReplyDelete👌
ReplyDelete