ବର୍ଷାର ଏକ ବାସ୍ତବତା

ବର୍ଷା, କାହାକୁ ବା ଭଲ ନ ଲାଗେ ! ଋତୁ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯେହେତୁ, ବର୍ଷାଋତୁକୁ ଋତୁରାଣୀର ଆଖ୍ୟା ଦିଆଯାଇଛି। ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରା ପରେ ଶୀତଳ ମଧୁର ବର୍ଷା ସମସ୍ତଙ୍କର ପ୍ରାଣକୁ ମୋହି ନିଏ। ପଶୁପକ୍ଷୀ, କୀଟପତଙ୍ଗ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ଯନ୍ତ ସମସ୍ତେ ବର୍ଷା କୁ ଅପେକ୍ଷା କରିରହିଥାନ୍ତି। ଜଳ ବିନା ଜୀବନ ଅଧା। ସମସ୍ତଙ୍କର ଜୀବନରେ ପ୍ରାଣ ଭରିଦିଏ ଏହି ଜଳ। ବର୍ଷାକୁ ଦେଖି ପକ୍ଷୀରାଜା ମୟୂର ଯେପରି ଖୁସି ହୁଏ ସାମାନ୍ୟ ମଣିଷଟିଏ ବି ସେହିପରି ଖୁସି ହୁଏ। ମାସ ମାସ ଧରି ଚାଷୀଟିଏ ଚାହିଁ ରହିଥାଏ ସେହି ବର୍ଷାକୁ। ବର୍ଷା ହେଲେ ମନ ଖୁସିରେ ଆରମ୍ଭ କରେ ତାର ଚାଷକାମ। ବିଭିନ୍ନ ପ୍ରକାରର ଫୁଲ,ଫଳରେ ପରିପୂର୍ଣ୍ଣ ଏହି ପୃଥିବୀ, ଏମିତି ଲାଗେ ସତେ ଯେପରି ସବୁଜ ରଙ୍ଗର ମୁକୁଟ ପିନ୍ଧିଛି।

ଏମିତି ବହୁତ୍ ସମୟ ଧରି କିଛି ଭାବୁଥିବା ସମୟରେ ଜୋର୍ ବିଜୁଳି ଚମକ ଆଉ ମେଘର ଘଡ଼ଘଡି ଶବ୍ଦରେ ବାହାରକୁ ଟିକିଏ ଅନାଇ ଦେଖିଲି ବର୍ଷା ହେଉଛି। ବର୍ଷାକୁ ଦେଖି ମୁଁ ସବୁ ଝରକା କବାଟ ବନ୍ଦ କରିଦେଲି। କବାଟ ଝରକା ବନ୍ଦ କରିବା ଦେଖି, ହଷ୍ଟେଲ ରୁମ୍ ରେ ମୋର ନୂଆ ସାଙ୍ଗ ଟିକିଏ ବିରକ୍ତିଭାବ ପ୍ରକାଶ କରି ରୁମ୍ ରୁ ବାହାରି ଚାଲିଗଲା। ମୁଁ ଜାଣିପାରିଲି ଯେ ମୋର ଏପରି ବ୍ୟବହାର ତାକୁ ପସନ୍ଦ ହେଲା ନାହିଁ। କଣ୍ କହିବି ! କାହିଁକି ମତେ ବର୍ଷା ଭଲ ଲାଗେନା ! ଏହାର ଉତ୍ତର ଥାଇ ବି ମୁଁ କିଛି କହିପାରେନା। ଅନେକ ସମୟରେ ବର୍ଷା ହେଲେ ମୁଁ ବାହାରକୁ ବାହାରେ ନାହିଁ। ମୋ ସାଙ୍ଗସାଥି ବର୍ଷା କୁ ଦେଖି ଖୁବ୍ ଖୁସି ହୁଅନ୍ତି, ବହୁତ୍ ମଜା କରନ୍ତି। ସେମାନେ ମତେ ସବୁବେଳେ କୁହନ୍ତି ବର୍ଷାରେ ଭିଜିବାର ମଜା କାଳେ ଅଲଗା। ସେମାନେ ମତେ ବହୁତ ଥର ପଚାରନ୍ତି, ବର୍ଷା ହେଲେ ମୁଁ କାହିଁକି ଏପରି ବ୍ୟବହାର କରେ? ମତେ କାହିଁକି ପସନ୍ଦ ନୁହେଁ। ବେଳେବେଳେ ଏପରି ପ୍ରଶ୍ନ ସେମାଙ୍କର ଟାହି ଟାପରା ର ବିଷୟବସ୍ତୁରେ ପରିଣତ ହୋଇଯାଏ। ଏସବୁ ମୋ ପାଇଁ କିଛି ବଡ଼ କଥା ନଥିଲା, ସେଥିପାଇଁ ମୋ ମନରେ ଏତେ କଷ୍ଟ ହୁଏ ନାହିଁ।
      ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ। ବର୍ଷାଋତୁ ସରିବାକୁ ଆସିଲାଣି। ଦିନେ ସାଙ୍ଗମାନେ ହଷ୍ଟେଲରେ ନଥିବା ସମୟରେ ବର୍ଷା ହେଲା। ଛାତ ଉପରୁ କପଡା ସବୁ ଆଣିବାକୁ ଦୌଡ଼ିକି ଗଲି। କପଡା ଆଣୁ ଆଣୁ ଓଦା ହୋଇଗଲି। ସାଙ୍ଗ ମାନଙ୍କ କଥା ମନେ ପଡିଗଲା। କାହିଁକି କେଜାଣି ବର୍ଷାରେ ଟିକିଏ ଭିଜିବାକୁ ଇଚ୍ଛା ହେଲା। ସେଦିନର ବର୍ଷା କିଛି ଅଲଗା ପରି ମନେ ହେଲା। କପଡା ସବୁ ରୁମ୍ ରେ ଥୋଇଦେଇ ଛାତ ଉପରକୁ ଗଲି।

ବର୍ଷାର ଶୀତଳତାକୁ ଅନୁଭବ କରିବାର ଆନନ୍ଦ ଅତୁଳନୀୟ ବୋଲି ଶୁଣିଥିଲି। ଟିକିଏ ଭିଜିଲା ପରେ ମୋ ଆଖି ଆଗରେ ମୋତେ ଖାଲି ମୋ ବୋଉର ମୁହଁ ଦିଶୁଥାଏ। ଛୋଟ ବେଳର ସବୁକଥା ସ୍ପଷ୍ଟଭାବେ ମନେ ପଡ଼ିଯାଉଥିଲା। ମନେ ପଡୁଥିଲା, ଆମର ସେଇ ମାଟିର ଚାରି କାନ୍ଥ ଆଉ ଛପର ନଡାରେ ତିଆରି ଘର। ବର୍ଷା ହେଲା ମାତ୍ରେ ହିଁ ଘରେ ପାଣି ପଶି ଯାଏ। ପାଣିରେ ପଚ୍ ପଚ୍ କାଦୁଅ ଘରେ ଠିଆ ହେବା ବି କଷ୍ଟକର। ଘରକାନ୍ଥର ମାଟିଗୁଡ଼ା ପାଣିରେ ଭିଜି ଫଡଫଡ ହୋଇ ତଳେ ପଡିଯାଉଥାଏ। ଯେବେ ବି ବର୍ଷା ହୁଏ, ବର୍ଷା ସହିତ ପବନ, ବିଜୁଳି, ଘଡ଼ଘଡିରେ କମ୍ପି ଉଠେ ଆମ ଘର। ଆମ ଘର ପାଖରେ ଖାଲି ବିଲ ଗୁଡ଼ା। କାହାକୁ ସାହଯ୍ୟ ମାଗିବା ବି କଷ୍ଟକର। ସେହି ବର୍ଷ ଏତେ ବର୍ଷା ହେଉଥିଲା ଯେ ତାହା ସମସ୍ତଙ୍କ ପାଇଁ ଅଭିଶାପ ହୋଇଯାଇଥିଲା। ଗାଁ ସାରା ସମସ୍ତଙ୍କ ଘରେ ପାଣି ପଶି ଯାଇଥିଲା। ଘରେ ପାଣି ପଶିଲେ ତାକୁ ବାହାରକରିବା ପାଇଁ ଦୁଇ ତିନି ଘଣ୍ଟାରୁ ଅଧିକା ସମୟ ଲାଗିଯାଏ। ବର୍ଷାଦିନରେ ସପ୍ତାହ ସପ୍ତାହ ଧରି କେହି କିଛି କାମ କରିପାରନ୍ତି ନାହିଁ। ରାତିରେ ପାଣି ସହିତ ସାପ ବେଙ୍ଗ ଇତ୍ୟାଦି ଘରେ ପଶିଆସନ୍ତି ତେଣୁ ରାତିରେ ଶୋଇବା ସମ୍ଭବ ହୁଏ ନାହିଁ। ସେ ରାତିଗୁଡାକରେ ବୋଉ ଆମମାନଙ୍କୁ ଶୁଆଇ ଦେଇ ନିଜେ ସାରାରାତି ଜଗି ବସିଥାଏ ।

ଛୋଟବେଳର ସେଇ ସ୍ମୃତିଗୁଡିକ ସବୁ ମନେ ପଡିବା ପରେ ବର୍ଷାରେ ଭିଜିବା ପାଇଁ ମୋ ପଖରେ ଆଉ ସାହସ ନଥିଲା ସେଥିପାଇଁ ରୁମ୍ କୁ ପଳେଇଆସିଲି। ବାହାରକୁ ଯାଇ ବର୍ଷାରେ ନଭିଜିବା ମୋ ପାଖରେ ସମ୍ଭବ ଥିଲା କିନ୍ତୁ, ମନରେ ଯେଉଁ ସ୍ମୃତି ଗୁଡ଼ିକ ଆସୁଥିଲା ତାକୁ ବନ୍ଦ କରିବା ମୋ ପାଇଁ ସମ୍ଭବ ନଥିଲା। ଏତେ ଦିନ ହେଲା ଯେଉଁ ସ୍ମୃତି ଗୁଡ଼ିକ ମନ ଭିତରେ ଚାପି ଧରିଥିଲି, ଆଜି ବର୍ଷାରେ ଭିଜିଲା ପରେ ସବୁକିଛି ମେଘରୁ ବର୍ଷାପାଣି ପରି ଆଖିରୁ ଲୁହ ରୂପି  ସ୍ମୃତି ଗୁଡିକ ବୋହି ଆସିଲା। ମନେପଡିଯାଉଥିଲା ବର୍ଷା ପାଣି ଘରକୁ ପଶିଲେ କିପରି ମୋ ବୋଉ ରାତି ରାତି ଧରି ଆମକୁ ଜଗି ବସିଥାଏ। ରାତି ରାତି ଧରି ନିଜ ଆଖିର ଲୁହ ନିଜେ ପୋଛିଦେଇ ଆମକୁ ଶୁଆଇ ଦିଏ। ପୁଣି ମନେ ପଡିଯାଉଥାଏ ବର୍ଷାଋତୁର ସେଇ ରାତି, ଯେଉଁ ରାତିରେ ଗାଁ ନଦୀବନ୍ଧ ଭାଙ୍ଗି ଦ୍ଵିଗୁଣ ବେଗରେ ପାଣି ଆସି ଆମ ଗାଁକୁ ନଷ୍ଟ କରିଦେଇଥିଲା। ସେଇ ବର୍ଷା ପାଣି ବହୁତ ଲୋକଙ୍କଠାରୁ ତାଙ୍କର ଜୀବନ ଜୀବିକା ଓ ତା ସହିତ ଘର, ଜମିବାଡି ପରି ଅନେକ କିଛି ଛଡ଼ାଇ ନେଇଥିଲା। ସେ ରାତିର ବାତ୍ୟାରେ ବହୁତ୍ ଲୋକଙ୍କ ଜୀବନ ଘର ଭିତରେ ହିଁ ଘରକାନ୍ଥ ପଡି ଚାଲି ଯାଇ ଥିଲା। ମୋ ବୋଉ ଆମ ମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ, ଆମ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଯାହାକି ସମ୍ଭବ ନଥିଲା, ତାକୁ କରିବା ପାଇଁ ଯାଇ ଭିଜା ଓଦା ମାଟିର କାନ୍ଥ ଆଉ ଛପର ତଳେ ନିଜ ଜୀବନ ନିଜ ପ୍ରାଣ ତ୍ୟାଗ କଲେ। ସେ ରାତିର ଅଘଟଣ ପରେ ସମସ୍ତେ ଗାଁ ଛାଡ଼ି ଯେ ଯୁଆଡେ ପଳାଇଲେ। ଗାଁ ରେ କିଛି ଛାଡ଼ିକି ଯିବାକୁ, କି ସାଙ୍ଗରେ କିଛି ନେଇ ଯିବାକୁ, କାହା ପାଖରେ କିଛି ବି ନଥିଲା। ସେ ରାତିର ଭୟଙ୍କର ବର୍ଷା ଆମ ପାଖରୁ ଏମିତି ଜଣକୁ ନେଇଯାଇଛି ଯାହାର ସ୍ଥାନ କେହି ବି ପୂରଣ କରି ପାରିବା ସମ୍ଭବ ନୁହେଁ। ବର୍ଷାକୁ ଦେଖିଲେ ଆଜିବି ବୋଉର ସେଇ କାନ୍ଦକାନ୍ଦ ଚେହେରା ମନେ ପଡିଯାଏ। ସମସ୍ତେ କୁହନ୍ତି ଇଶ୍ଵର ଯାହା କରନ୍ତି ସମସ୍ତଙ୍କ ଭଲ ପାଇଁ କିନ୍ତୁ ବେଳେବେଳେ ମୋ ମନରେ ପ୍ରଶ୍ନ ଆସେ ସେ ରାତିର ବର୍ଷା ଆଉ ବାତ୍ୟା ପଛରେ, ଏତେ ଲୋକଙ୍କ ଜୀବନ ନଷ୍ଟ ପଛରେ, କ'ଣ ଭଲ ଥିଲା ?

ମଣିଷ ଜୀବନରେ ସନ୍ତୁଳନ ରକ୍ଷ୍ୟା କରିବା ନିମନ୍ତେ ପ୍ରକୃତିର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୂପ ରହିଛି !!!


     ବର୍ଷାକୁ ଦେଖିଲେ ଯେତିକି ଖୁସି ଲାଗେ, ସେତିକି କଷ୍ଟ ମଧ୍ୟ ହୁଏ। ବର୍ଷାକୁ ଦେଖି କବି ତ କବି, ସାମାନ୍ୟ ମଣିଷଟିଏ ବି କବି ପାଲଟି ଯାଏ। ବର୍ଷାର ସୁନ୍ଦରତାକୁ ସମସ୍ତେ ଭଲ ପାଆନ୍ତି। ଏହା ସମସ୍ତଙ୍କ ମନରେ ଘର କରିନିଏ। ବର୍ଷାର ଏହି ରୂପ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ କିନ୍ତୁ, ବର୍ଷାର କରାଳ ରୂପ ଖୁବ୍ କମ୍ ଲୋକ ଅନୁଭବ କରିଥାନ୍ତି। ବର୍ଷାର ସୁନ୍ଦରତା ଆଗରେ ଏହି ବାସ୍ତବତାର ରୂପକୁ ସମସ୍ତେ ଭୁଲି ଯାଆନ୍ତି। ମୁଁ ବର୍ଷାର ଯେଉଁ ରୂପକୁ ଅନୁଭବ କରିଛି, ନିଜେ ଅଙ୍ଗେ ନିଭେଇଛି, ବର୍ଷାର ଯେଉଁ ବାସ୍ତବ ରୂପକୁ ଦେଖିଛି ତାହା ଭୁଲିବା ଅସମ୍ଭବ।


©2020 Archana Abhilipsa Jena

Comments

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା