'ମକର ସଂକ୍ରାନ୍ତି' - ପର୍ବ ଓ କାହାଣୀ...

ମକର ସଂକ୍ରାନ୍ତି ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ପର୍ବ । ଏହି ପର୍ବ ସହିତ ଅନେକ ଭାବନା ଓ କିମ୍ବଦନ୍ତୀ ଜଡିତ। ଏହି ସବୁ କିମ୍ବଦନ୍ତୀ ଗୁଡିକ କେଉଁଠାରୁ ଆରମ୍ଭ ତାହା ଅଜଣା । ଏହା ସହିତ ଜଡିତ ବହୁ ଐତିହାସିକ, ପୌରାଣିକ ଘଟଣା ରହିଛି। ସୂର୍ଯ୍ୟଙ୍କର ମକର ରାଶିରେ ପହଞ୍ଚିବାର କିମ୍ବଦନ୍ତୀ , ଆର୍ଯ୍ୟମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଇଶ୍ବରଙ୍କର ଉପାସନା କରିବାର କିମ୍ବଦନ୍ତୀ, ମହାଦେବ ଶିବ ବୃଷଭଙ୍କୁ ଦଣ୍ଡ ଦେବାର କିମ୍ବଦନ୍ତୀ; ଏଭଳି ଅନେକ ଘଟଣା ରହିଛି।

ରାଜା ଭାଗୀରଥଙ୍କ କାହାଣୀ

ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ, ରାଜା ସାଗର ଦିନେ ଅଶ୍ଵମେଧ ଯଜ୍ଞ କରୁଥିବା ସମୟରେ ଦେବରାଜ ଇନ୍ଦ୍ର ତାଙ୍କର ଯଜ୍ଞ-ପୂଜିତ ଅଶ୍ଵ/ଘୋଡାଟିକୁ ଚୋରି କରିନେଲେ। ଯଜ୍ଞର ବିଧି ଅନୁସାରେ, ସେହି ଅଶ୍ଵ ବିନା ଯଜ୍ଞ ସମ୍ପୂର୍ଣ ହେବା ଅସମ୍ଭବ। ଚିନ୍ତିତ ହୋଇ, ରାଜା ସାଗର ଏବେ ତାଙ୍କର ୬୦,୦୦୦ ପୁତ୍ରଙ୍କୁ ଘୋଡାର ସନ୍ଧାନରେ ପଠାଇଲେ। ସେମାନେ ଘୋଡାର ପାଦଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ପାଟଳୀ ରାଜ୍ୟର କପିଳ ମୁନିଙ୍କ ଆଶ୍ରମରେ। ସେହି ଆଶ୍ରମରେ ଘୋଡାକୁ ଦେଖି ରାଜାଙ୍କ ପୁତ୍ରମାନଙ୍କୁ ଲାଗିଲା ଯେ କପିଳ ମୁନି ତାଙ୍କ ପିତାଙ୍କ ଘୋଡାକୁ ଚୋରି କରିଛନ୍ତି (ଇନ୍ଦ୍ର ଚୋରିକରି ମୁନିଙ୍କ ଆଶ୍ରମରେ ଲୁଚିଥିଲେ)। କ୍ରୋଧରେ ଅନ୍ଧ ହୋଇ ରାଜକୁମାରମାନେ କପିଳ ମୁନିଙ୍କ ଉପରେ ନାନା ପ୍ରକାରର ଲାଞ୍ଛନା ଲଦିବାରେ ଲାଗିଲେ। ରାଜକୁମାରମାନଙ୍କର ଏପରି ବ୍ଯବହାରରେ କପିଳ ମୁନି ଅତିଶୟ କ୍ରୋଧିତ ହୋଇ, ସେହିଠାରେ ହିଁ ସାଗର ରାଜାଙ୍କ ୬୦,୦୦୦ ପୁତ୍ରଙ୍କୁ ଭସ୍ମ କରିଦେଲେ। 

ଏହି ଖବର ଶୁଣି, ସାଗର ରାଜା ଯଜ୍ଞକୁଣ୍ଡ ଛାଡି କପିଳ ମୁନିଙ୍କ ଆଶ୍ରମକୁ ଧାଇଁଲେ ଓ ମହାମୁନିଙ୍କୁ ନିଜ ପୁତ୍ରଙ୍କ ଉଦ୍ଦାର ନିମନ୍ତେ ପ୍ରାର୍ଥନା କଲେ। ରାଜାଙ୍କର ଆକୁଳ ପ୍ରାର୍ଥନାରେ ଶାନ୍ତ ହୋଇ, କପିଳ ମୁନି ଗୋଟିଏ ଉପାୟ କହିଲେ ଯେ, ସ୍ଵର୍ଗରେ ଥିବା ଗଙ୍ଗା ଯଦି ପୃଥିବୀକୁ ଆସି ଏମାନଙ୍କର ଭସ୍ମକୁ ଛୁଇଁବ ତା'ହେଲେ ଯାଇ ଏମାନଙ୍କୁ ମୁକ୍ତି ମିଳିବ।

ସ୍ଵର୍ଗର ଗଙ୍ଗାକୁ ମର୍ତ୍ତ୍ଯକୁ ଆଣିବା କିଛି ସହଜ କାମ ନୁହ - କେବଳ ଜଣେ ପ୍ରଚଣ୍ଡ ଇଛ୍ଛାଶକ୍ତି-ସମ୍ପନ୍ନ ବ୍ଯକ୍ତିହିଁ ଏପରି ଅସାଧ୍ଯକୁ ସାଧି ପାରିବ! ଏକଥା ଭାବି, ରାଜା ସାଗର ଗଙ୍ଗାକୁ ପୃଥିବୀପୃଷ୍ଠକୁ ଆଣିବା କାର୍ଯ୍ୟ ପୂର୍ଣ୍ଣ କରିବାକୁ ତାଙ୍କ ନାତି ଅଂଶୁମାନଙ୍କୁ ଦାୟିତ୍ବ ଦେଲେ। କିନ୍ତୁ ତାଙ୍କ ନାତି ଏ କାର୍ଯ୍ୟ ପୁରା କରିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ଅଂଶୁମାନଙ୍କ ପୁତ୍ର ଦୀଲିପ, ଏହି କାର୍ଯ୍ୟ ପୁରା କରିବା ପୂର୍ବରୁ ତାଙ୍କର ମଧ୍ୟ ଦେହାନ୍ତ ହୋଇଗଲା। ନିଜ ପିତୃପୁରୁଷଙ୍କୁ ମୁକ୍ତ କରିବାର ଦାୟିତ୍ୱ ଏବେ ଦୀଲିପଙ୍କ ପୁତ୍ର ଭାଗୀରଥଙ୍କ ପାଖକୁ ଆସିଲା। 

ରାଜା ଭାଗୀରଥ ଅତ୍ୟନ୍ତ କଠିନ ତପସ୍ୟା କରି ବ୍ରହ୍ମା ଓ ମହାଦେବ ଶିବଙ୍କ ଠାରୁ ବର ପାଇ ଗଙ୍ଗାକୁ ପୃଥିବୀକୁ ଆଣିଲେ। ଗଙ୍ଗାନଦୀ ଜଳର ସ୍ପର୍ଶ ପାଇ ଭାଗୀରଥଙ୍କ ପୂର୍ବପୁରୁଷ ମୁକ୍ତି ପାଇଲେ। ମନାଯାଏ ଯେ ଯେଉଁ ଦିନ ଗଙ୍ଗା ପୃଥିବୀ ପୃଷ୍ଠକୁ ଅବତରଣ କରି ତାଙ୍କ ପିତୃ ପୁରୁଷଙ୍କୁ ମୁକ୍ତ କରିଥିଲେ ସେହି ଦିନ ଥିଲା ଏହି ପବିତ୍ର ଓ ଶୁଭ ମକର ସଂକ୍ରାନ୍ତି। ଏହା ପରେ, ଗଙ୍ଗାନଦୀ ପାଟଳୀ ରାଜ୍ୟ ଦେଇ ସାଗରରେ ମିଶିଲେ। ଯେଉଁଠି ଗଙ୍ଗା ସାଗର ରେ ମିଶିଲେ ସେହି ସ୍ଥାନକୁ ଲୋକେ ଗଙ୍ଗାସାଗର ନାମରେ ଜାଣିଲେ । ଆଜିବି ଲୋକମାନେ ଗଙ୍ଗାସାଗରକୁ ଯାଇ ସେଥିରେ ପବିତ୍ର ବୁଡ ପକାଇ ପୁଣ୍ୟ ଅର୍ଜନ କରିବାର ମାନ୍ୟତା ରହିଛି । ସେଠାରେ ପ୍ରତିବର୍ଷ ଏହିଦିନ ମହା ଗଙ୍ଗାସାଗର ମେଳା ଆୟୋଜିତ ହୋଇଥାଏ ।

ପିତାମହ ଭୀଷ୍ମଙ୍କ କାହାଣୀ

ବିଶ୍ଵାସ କରାଯାଏ ଯେ, କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ ମହାନ୍ ଯୋଦ୍ଧା ପିତାମହ ଭୀଷ୍ମ , ଅର୍ଜୁନର ବାଣରେ ଆହତ ହୋଇ ଶଯ୍ୟାଶାୟୀ ହୋଇ ରହିଲେ। ତାଙ୍କ ପାଖରେ ନିଜର ଇଚ୍ଛା ଅନୁଯାୟୀ ମୃତ୍ୟୁର ସମୟ ବାଛିବା ପାଇଁ ତାଙ୍କ ପିତାଙ୍କର ବର ଥିଲା। ପୁରା ଏକ ମାସ ଧରି ଶରଶଯ୍ୟାରେ ଶୋଇବା ପରେ, ସେ ମକର ସଂକ୍ରାନ୍ତି ଦିନ ନିଜ ଶରୀର ତ୍ୟାଗ କଲେ। ସେଥିପାଇଁ ବିଶ୍ବାସ ଅଛି ଯେ, ଏହି ସମୟରେ ଯେଉଁମାନେ ମୃତ୍ୟୁବରଣ କରନ୍ତି ସେମାନେ ସ୍ଵର୍ଗପ୍ରାପ୍ତି କରନ୍ତି।

ଏହିପରି ମକର ସଂକ୍ରାନ୍ତିକୁ ନେଇ ଅନେକ ଘଟଣା, କାହାଣୀ, କିମ୍ବଦନ୍ତୀ ରହିଛି । ଯଦି ତୁମ ଅଞ୍ଚଳରେ ମଧ୍ଯ ମକର ସଂକ୍ରାନ୍ତିକୁ ନେଇ ଏପରି କିଛି ଆଗ୍ରହଜନକ କାହାଣୀ ଅଛି, ତଳେ କମେଣ୍ଟରେ ବତାଅ! 

Comments

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା