କାଳ ବୈଶାଖର ରକ୍ତ ଭୋଜି

ବୈଶାଖ ମାସରେ ପ୍ରଚଣ୍ଡ ରୁଦ୍ରତାପ, ସକାଳର ସୁରୁଜବି ଜଳନ୍ତା ନିଆଁପିଣ୍ଡ ଭଳି ଦିଶୁଛି। ସେଦିନ ଶନିଆ ବିଲକୁ ହଳ ନେଇ ଯିବ, ତେଣୁ ବେଗି ବେଗି କଅଣ ଦୁଇଟା ଖାଇ ଦେଇ ଗୁହାଳକୁ ଗଲା। ବଳଦକୁ କୁଣ୍ଡା ତୋରାଣି ଦେଲା। ଲଙ୍ଗଳ ପାଞ୍ଚଣ ଧରି ବଳଦକୁ ଠିଆ କଲା। ଯାଉ ଯାଉ ତା' ସ୍ତ୍ରୀକୁ କହିଦେଲା, "ଦି ଘଡିକୁ ମୁନ୍ଦାଏ ପାଣି ନେଇ ବିଲକୁ ଯିବୁ।" ଶନିଆର ସ୍ତ୍ରୀ ଘରୁ ଥାଇ ହଁଟେ ମାରିଲା। ଶନିଆ ଏଥର ବଳଦ ଆଡେଇ ବିଲ ଆଡେ ଚାଲିଲା। 

ବିଲ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଖରା ବଡ଼ ଟାଣ୍ ହେଲାଣି। ଶନିଆ ଦୁଇ ବଳଦକୁ ନେଇ ଲଙ୍ଗଳ ଯୋଛିଲା, ହଳ ଆରମ୍ଭ ହେଲା। ଖରାଟିଆ ଚାଷ ଭାରି କଷ୍ଟ। ବିଲ ଶୁଖି ଆଁ କରିଥାଏ। କଷ୍ଟେ ମଷ୍ଟେ ହଳ ବୁଲାଇଲା। ସେତେବେଳକୁ ଅସହ ଖରା। ଦିହ ମୁଣ୍ଡ ପୋଡି ପକାଉଥାଏ, ହେଲେ ବିଲ ମଝିରେ କେଉଁଠି ଟିକିଏ ଥାଁ ମାରିବାକୁ ଛାଇ ନାହିଁ। ଦୂର ଦୂର ପର୍ଯ୍ଯନ୍ତ ପ୍ରସସ୍ତ ଶୁଖିଲା ପଡିଆ। ସେ ଆଉ କଷ୍ଟ ସହି ନପାରି ବିଲ ହିଡ଼ରେ ଟିକିଏ ବସି ପଡିଲା। ସେତେବେଳକୁ ଶନିଆକୁ ଭାରି ଶୋଷ ହେଲାଣି। ମୁଣ୍ଡଫଟା ଖରାରେ ଭାରି ହାଲିଆ ଲାଗିଲାଣି। ସ୍ତ୍ରୀକୁ ପାଣି ନେଇ ଆସିବାକୁ କହିଥିଲା ଯେ, ଏ ଯାଏଁ ପାଣିର ଦର୍ଶନ ନାହିଁ। 

ଶନିଆ ତା ସ୍ତ୍ରୀକୁ ଜଗି ଜଗି ଭାବିଲା,"ହଉ ଆଉ ହେଳା କରି ଲାଭ ନାହିଁ, ଆଉ ଦି ଭେରା ହଳ ବୁଲେଇ ଦିଏ।" ଏପରି ଭାବି ସେ ପୁଣି ତା କାମରେ ଲାଗିଗଲା। ଗୋଟିଏ ହାତ ଲଙ୍ଗଳ କଟି ଉପରେ ପଡିଥାଏ, ଆଉ ଆର ହାତରେ ପାଞ୍ଚଣରେ ଘଉଡ଼ାଉଥାଏ। ଟିକିଏ ହଳ କରିଛି କି ନାହିଁ ତାକୁ ପୁଣି ଶୋଷ ଲାଗିଲା। ତା ପାଟି ଅଠା ହୋଇଗଲା। ଦେହ ହାତ ଅବଶ ଲାଗିଲା। ଚାରିଆଡ଼କୁ ଚାହୁଁ ଖାଲି ଚାହୁଁଥାଏ। କାଳେ ଆଉ କେହି ହଳ ନେଇ ଆସିବ ହେଲେ ତା ପାଖରୁ ମୁନ୍ଦାଏ ପାଣି ପିଇ ଦେଇ ଆସିବ। ହେଲେ, ସେଦିନ ବିଲକୁ କେହି ବି ହଳ ନେଇ ଆସିନଥିଲେ। ଚାରିଆଡେ ଖାଲି ହରିଣ ନାଚିଲା ଭଳି ଦିଶୁଥାଏ। ପୁଣି ଶନିଆ ସାରିବା ନିଶାରେ ହଳ କରିଲା। ମଝିରେ ମଝିରେ ଗାଁ ଆଡ଼କୁ ଚାହୁଁଥାଏ। ପାଣି ଆସିଲା ନା ନାହିଁ!

ଠିକ୍ ସେହି ସମୟରେ ଶନିଆର ସ୍ତ୍ରୀ ଦୂରରୁ ପାଣି ନେଇ ଆସିବାର ଦିଶିଲା। ଶନିଆର ଶୋଷ ଏଥର ଦଶଗୁଣା ବଢିଗଲା। ତା' ସ୍ତ୍ରୀ ଯେତିକି ଯେତିକି ପାଖକୁ ଆସୁଥାଏ, ଶନିଆର ଶୋଷ ସେତିକି ସେତିକି ବଢିବାରେ ଲାଗୁଥାଏ। ଶେଷକୁ ଶନିଆ ଆଉ ସମ୍ଭାଳି ପାରିଲାନି। ତାକୁ ଏତେ ଶୋଷ ଲାଗିଲା ଯେ, ହଳ ଛାଡ଼ି ସେ ତା' ସ୍ତ୍ରୀ ଆଡ଼କୁ ପାଣି ପିଇବାକୁ ଧାଇଁଲା। ହାତରେ ଥାଏ ତା ହଳୁଆ ପାଞ୍ଚଣ ବାଡ଼ି। ଶନିଆ ସ୍ତ୍ରୀ ଦେଖିଲା, ଶନିଆ ତା ଆଡ଼କୁ ପାଞ୍ଚଣ ଧରି ଆସୁଛି। ଶନିଆକୁ ପାଞ୍ଚଣ ଧରି ଦୌଡୁଥିବାର ଦେଖି ତା ସ୍ତ୍ରୀ ଭାବିଲା,"ଏ ଆଜି ପାଣି ପାଇଁ କହିଥିଲା, ମୋ ଆସିବା ଟିକିଏ ଡେରି ହେଲା ବୋଲି ବୋଧେ ମାରିବାକୁ ଆସୁଛି, ଆଜି ମତେ ଜୀବନରୁ ମାରିଦେବ।"  ଶନିଆ ଟିକିଏ ପାଖେଇ ଆସିଲା। ଟୋପେ ପାଣି ପାଇଁ ସେତେବେଳକୁ ସେ ଶେଷ ନିଶ୍ବାସରେ ଧାଇଁ ଥାଏ। ହାତରେ ହଳୁଆ ପାଞ୍ଚଣ। ତା' ସ୍ତ୍ରୀ ପ୍ରାଣ ବିକଳରେ ସେଇଠି ପାଣି ଲୋଟାଟା ଥୋଇଦେଇ ଦୌଡିଲା। ତରବରରେ ଶନିଆ ସ୍ତ୍ରୀ ପାଣି ଲୋଟାଟା ଥୋଉ ଥୋଉ ବିଲର ମଟାଳ ମାଟିରେ ଲୋଟାଟା ଗଡି ଗଲା। ଲୋଟାର ସବୁ ପାଣି ବୋହି ସେଇ ମାଟିରେ ମିଶିଗଲା। ଶନିଆ ପାଣି ପିଇବାକୁ ଡ଼ହଳ ବିକଳ ହୋଇ ସେଇ ଭିଜା ମାଟିରେ ମୁହଁ କାମୁଡି ପଡିଲା ହେଲେ, ତା ତଣ୍ଟି ଓଦା କରିବାକୁ ଟୋପାଏ ପାଣି ବି ତାକୁ ମିଳିଲାନି। ପାଣି ପାଇଁ ତା ପ୍ରାଣ ସେଇଠି ଛାଡ଼ିଗଲା।

ତା' ପରେ ଶନିଆ ସ୍ତ୍ରୀ ଛାତି ଫଟେଇ ଚିତ୍କାର କଲା, ହେଲେ ସେ କରୁଣ ଚିତ୍କାର କାହାକୁ ଶୁଭୁ ନଥିଲା। ସେ ନିଛାଟିଆ ବିଲ ମଝିରେ କେବଳ ନିଜର କରୁଣ କାନ୍ଦଣା, ପ୍ରତିଧ୍ଵନି ହୋଇ ନିଜକୁ ହିଁ ଶୁଭୁଥିଲା।


ଓଡ଼ିଆ ଲୋକକଥା

Comments

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା