କଲୁରୀବେଣ୍ଟ କଥା

ବୁଢୀଟିଏ ଦିନେ ତା ଘର ଓଳାଉ ଓଳାଉ କଲରା ମଞ୍ଜିଟିଏ ପାଇଲା। ତାକୁ ନେଇ ବାଡ଼ିରେ ମନ୍ଦା ଖୋଳି ପୋତି ପକାଇଲା। ସେଥିରେ ମୁନ୍ଦାଏ ପାଣି ଦେଇ କହିଲା,

"କଲରା ମଞ୍ଜି ରେ କଲରା ମଞ୍ଜି,

କାଲିକି ଯଦି ତୁ ଗଜା ହେଇଥିବୁ ତ ହେଇଥିବୁ

ନହେଲେ ମାମୁଁଘର କୁରାଢୀରେ ତତେ ଦି ଗୋଡ କରି ହାଣିବି।"

 

ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସତକୁ ସତ କଲରା ମଞ୍ଜିରୁ ଗଜାଟିଏ ବାହାରିଛି। ବୁଢୀ କହିଲା," ହୁଁ...ଗଜା ନହୋଇ ଯିବୁ କୁଆଡେ!"

ପୁଣି ସେଦିନ ସଞ୍ଜ ବେଳକୁ ଯାଇ କଲରାଗଜାକୁ ଡରାଇ କହିଲା,

"କଲରା ଗଜାରେ କଲରା ଗଜା,

କାଲିକି ଯଦି ତୁ ଦି ଦି ପତ୍ର ନ ହୋଇଥିବୁ ତେବେ,

ରଜାଘର କଟୁରୀରେ ତତେ ହାଣିବି।"

 

ସତକୁ ସତ ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସେଥିରେ ଦି ଦି ପତ୍ର ବାହାରିଛି। ବୁଢୀ କହିଲା," ହୁଁ...ନ ହୋଇ ଯିବୁ କୁଆଡେ!"

 

ନିତିନିତି ବୁଢୀ ଏମିତି ପାଣି ଟୋପାଏ ଟୋପାଏ ଦିଏ ଆଉ ଗଛକୁ ଡରାଏ। ଦେଖୁଦେଖୁ ଦିନ କେତେଟାରେ ଗଛରେ ଦି ପତ୍ରରୁ ଚାରି ପତ୍ର ହେଲା, ବହୁତ ଗୁଡାଏ ମାଡ଼ିଲା। ଗଛଟିର ଏମିତି ମାଡିବା ଦେଖି ବୁଢୀ ତା ଲାଗି ରଞ୍ଜାଟିଏ ତିଆରି ଦେଲା। ଗଛଟି ସେଇ ରଞ୍ଜାରେ ମାଡ଼ିଲା।

କିଛିଦିନ ପରେ ସେଥିରେ କଲରା କଷିଟିଏ ଧରିଲା। ବୁଢୀ ସେ କଷିଟିକୁ ନିଇତି ଯାଇ ଦେଖେ କିନ୍ତୁ, ତାର ସାହସ ପାଏନି ତୋଳିବାକୁ। ରଞ୍ଜାରେ ଥାଇ କଲରାଟି ପାଚିଲା। ପାଚିଲା କଲରାର ମନ ଆକାଶରେ ଉଡୁଥାଏ, ଭାଡ଼ି ଉପରେ ଥିବାରୁ ସତେକି ସେ ମନେ ମନେ ନିଜକୁ ଗୋଟାଏ ରଜା ବୋଲି ଭାବୁଥାଏ। କାଲି ଯିଏ ମାମୁଁଘର କୁରାଢୀ ଆଉ ରଜାଘର କଟୁରୀକୁ ଡ଼ରୁଥିଲା, ସେ ଆଜି ପୁରୁଣା କଥା ପୂରାପୂରି ଭୁଲି ଯାଇଥିଲା।

ଦିନେ ଗୋଟେ କାଉ କୁଆଡୁ ଉଡ଼ି ଆସି ସେ ଲାଲ୍ ଟହଟହ କଲରାଟିକୁ ଦେଖିଲା। ପାଚିଲା କଲରାଟିକୁ ଖାଇବା ପାଇଁ ତାର ଭାରି ଇଚ୍ଛା ହେଲା। କାଉ ଆଉ ତା ଭୋକ ସମ୍ଭାଳି ନପାରି, ଯାଇ କଲରାକୁ କହିଲା,

"କଲୁରୀବେଣ୍ଟରେ କଲୁରୀବେଣ୍ଟ

ଭୋକରେ ମୋହର ଜଳୁଛି ପେଟ,

କହନ୍ତୁ ଯଦି ଖାଆନ୍ତି ତତେ

 କ'ଣ କହୁଛୁ କହ ତୁ ମତେ।"

 

କାଉ କଥା ଶୁଣି କଲରା ତାର ଲାଲ୍ ଟହଟହ ଚେହେରାକୁ ଚାହିଁ, ଥରେ ଦେଅପରିଛନିଆ ମଳିମୁଣ୍ଡିଆ କାଉ ମୁହଁକୁ ଚାହିଁଲା ଆଉ ପରିହାସ କରି କହିଲା," ଖାଇବାକୁ ମତେ ମନା କରୁନି ଯେ କିନ୍ତୁ, ତା ଆଗରୁ ତୁ ଯାଇ ବୁଢୀକି ଥରେ ପଚାରି ଆ...।"

କଲରା କଥା ଶୁଣି ସେ ସାଙ୍ଗେ ସାଙ୍ଗେ ଯାଇ ବୁଢୀକୁ କହିଲା। କାଉ କଥା ଶୁଣି ବୁଢୀ କହିଲା,"ଅମୁହାଁ କୂଅରେ ଯାଇ ମୁହଁ ଟିକେ  ଧୋଇ ଆ।"

କାଉ ତା ପରେ ଆକାଶପଥକୁ ଉଡ଼ି ଯାଇ କୂଅ ପାଖରେ ପହଞ୍ଚିଲା ଓ କୂଅକୁ କହିଲା,

"ଦେ କୂଅ ଦେ ପାଣି

ଧୁଏ ଥଣ୍ଟ,

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ।"

ତହୁଁ କୂଅ କହିଲା,"ତୁ କୁମ୍ଭାର ଘରୁ କଳସୀ ଆଣିଲେ ମୁଁ ପାଣି ଦେବି।"

 

କାଉକୁ ତ ଭୋକ ଲାଗିଛି ଅନ୍ୟ କିଛି ଉପାୟ ନ ଭାବି, ସେ ଏଥର ଉଡ଼ି ଉଡ଼ି କୁମ୍ଭାର ଘରକୁ ଗଲା ଓ କହିଲା,

"ଦେ କୁମ୍ଭାର ଦେ କଳସୀ

ନୋଉ କୂଅ ଦୋଉ ପାଣି,

ଧୁଏ ଥଣ୍ଟ,

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ।"

କୁମ୍ଭାର କି ଆଉ କାଉ କଥାରେ ସହଜେ ଭଳିବା ଲୋକ? ସେ ବାହାନା କରି କହିଲା,"ତୁ ଯା…ଗହୀର ବିଲରୁ ମାଟି ଆଣିବୁ, ତେବେ ଯାଇ ମୁଁ ତତେ କଳସୀ ଦେବି।"

 

କାଉ ଭାବିଲା, ଯେମିତି ହେଲେ କାମଟି ତାକୁ ହାସଲ କରିବାକୁ ପଡ଼ିବ, ନ ଗଲେ ତ ନ ଚଳେ, ଏହା ଭାବି କାଉ ଉଡ଼ି ଉଡ଼ି ଯାଇ ଗହୀର ବିଲରେ ପହଞ୍ଚିଲା ଓ କହିଲା,

"ଦେ ବିଲ ଦେ ମାଟି

ନୋଉ କୁମ୍ଭାର ଦୋଉ କଳସୀ

ନୋଉ କୂଅ ଦୋଉ ପାଣି

ଧୁଏ ଥଣ୍ଟ,

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ।"

ଗହୀର ବିଲର ବୁଦ୍ଧି ତ ଆହୁରି ପୋଖତ ଆହୁରି ଗହୀରିଆ। ସେ କହିଲା," ମୁଁ ତତେ ମାଟି ଦିଅନ୍ତି ଯେ କିନ୍ତୁ, ତାଡ଼ିବି କେମିତି? ମୋ ପାଖରେ ତ କିଛି ହତିଆର ନାହିଁ, ତୁ ଯା ମିରିଗ ପାଖରୁ ଶିଙ୍ଗ ଆଣିବୁ, ତେବେ ଯାଇ ମୁଁ ତତେ ମାଟି ଦେବି।"

 

କାଉ ତହୁଁ ମିରିଗ ପାଖକୁ ଗଲା। ସେ ମିରିଗଟାର ବି କାହାକୁ ଟିକିଏ ଖାତିର୍ ନାହିଁ। ସେ କହିଲା ତୁ ଆଗେ ଯା...କାଳିଗାଈଠୁ ଦୁଧ ଆଣ, ମୁଁ ପିଏ, ତେବେ ଯାଇ ଶିଙ୍ଗ ଦେବି।

 

କାଉର ଦୁଃଖ ଆଉ ନସରେ। ଯାହା ହେଉ ପଛେ, ଏ କଥା ଶୁଣି ଧାଇଁଲା କାଳିଗାଈ ପାଖକୁ। ତାକୁ ଯାଇ କହିଲା,

"ଦେ କାଳିଗାଈ ଦେ ଦୁଧ

ପିଉ ମିରିଗ ଦେଉ ଶିଙ୍ଗ

ନେଉ ବିଲ ଦୋଉ ମାଟି

ନୋଉ କୁମ୍ଭାର ଦୋଉ କଳସୀ

ନୋଉ କୂଅ ଦୋଉ ପାଣି,

ଧୁଏ ଥଣ୍ଟ,

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ।"


 

କାଉ ଭାବିଥିଲା ଗାଈଟା ଭଲ ଲୋକ ହୋଇଥିବ, ତାର ଗୁହାରି ଶୁଣିବା ମାତ୍ରକେ ସେ ତା ଦୁଃଖ ବୁଝିବ ଓ ତାକୁ ଦୁଧ ଟୋପେ ଦେବ। କିନ୍ତୁ, ଗାଈ କାହିଁକି ତାର ଗୁହାରି ଶୁଣିବ? କାଳିଗାଈ କହିଲା," ମୁଁ ତତେ ଦୁଧ ଟୋପେ ଦିଆନ୍ତି ଯେ କିନ୍ତୁ, ତୁ ତ୍ ହିଡ଼ରୁ ଯାଇ ଘାସ ଆଣି ନଦେଲେ, ମୁଁ ତତେ ଦୁଧ ଦେଇ ପାରିବିନି।" କାଳିଗାଈଠୁ ସେ କଥା ଶୁଣି କାଉ ଗୋଟିଏ ଲମ୍ବା ନିଃଶ୍ବାସ ପକାଇଲା, ତା ପରେ ସେ ଯାଇ ହିଡ଼ ପାଖରେ ପହଞ୍ଚିଲା। ହିଡ଼କୁ ଯାଇ କହିଲା,

"ଦେ ହିଡ଼ ଦେ ଘାସ

ଖାଉ କାଳିଗାଈ ଦେଉ ଦୁଧ

ପିଉ ମିରିଗ ଦେଉ ଶିଙ୍ଗ

ନେଉ ବିଲ ଦୋଉ ମାଟି

ନୋଉ କୁମ୍ଭାର ଦୋଉ କଳସୀ

ନୋଉ କୂଅ ଦୋଉ ପାଣି,

ଧୁଏ ଥଣ୍ଟ,

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ।"

 

ହିଡ଼ ପାଖରେ ଛେଳିରୁ ମେଣ୍ଢା ଯାଏଁ କେତେ ଜନ୍ତୁଙ୍କର ଭିଡ ଲାଗିଛି। ତାର ବା ବେଳ କାହିଁ? ତା କଥା ଶୁଣିବାକୁ ସେ କେତେବେଳେ ଯାଏଁ ଅନେଇ ଅନେଇ ବସିଲା, କେତେ ସମୟ ଗଲା ପରେ ହିଡ଼ ତାର ଗୁହାରି ଶୁଣିଲା ଓ ଥଟା କରି କହିଲା," ହଇରେ କାଉ, କଲରା ବକଟେ ଖାଇବୁ ବୋଲି ଏତେ ଆଡେ ଯାଇ, ଶେଷରେ ଆସି ମୋ ପାଖରେ ପହଞ୍ଚିଲୁଣି ! ହଉ ହଉ, ମୁଁ ତୋ କଥା ବୁଝିବି ଯେ, କେମିତି ତତେ ଘାସ ଦେବି? ତୁ ଯା କମାରଶାଳରୁ ଗୋଟିଏ ଦାଆ ଆଣିବୁ, ଆଉ ତା ପରେ ମନଇଚ୍ଛା ଘାସ କାଟି ନେବୁ।"

 

ଏତେ ଦଉଡ଼ି ଦଉଡ଼ି କାଉଟି ସବୁଥିରେ ହତାସ୍। ହତାସିଆ ମନରେ ଭାବିଲା,"ଯାହା ହେବାର ହେଲାଣି, ଏଇ ଶେଷଥର ପାଇଁ କମାର ଘରକୁ ଯିବି, ତେଣିକି କଲରା ଖିଆ ପଛେ ନହେଲା ନାହିଁ।"

ଏହା ଭାବି କାଉ କମାରଶାଳକୁ ଗଲା ଓ କମାରକୁ କହିଲା,

"ଦେ କମାର ଦେ ଦାଆ

ନେଉ ହିଡ଼ ଦେଉ ଘାସ

ଖାଉ କାଳିଗାଈ ଦେଉ ଦୁଧ

ପିଉ ମିରିଗ ଦେଉ ଶିଙ୍ଗ

ନେଉ ବିଲ ଦୋଉ ମାଟି

ନୋଉ କୁମ୍ଭାର ଦୋଉ କଳସୀ

ନୋଉ କୂଅ ଦୋଉ ପାଣି,

ଧୁଏ ଥଣ୍ଟ ,

ଧାଇଁ ଧାଇଁ ଖାଏ କଲୁରୀବେଣ୍ଟ।"

 

କାଉ କଥା ଶୁଣି କମାର ଆବାକ୍ ! ଯାହା ହେଉ କାଉ ପ୍ରତି ଟିକିଏ ଦୟା ଦେଖେଇ ପଚାରିଲା," ଦାଆ ନେବୁ ଯେ ନେବୁ କିପରି?" କାଉ କହିଲା,"କେମିତି ଆଉ ନେବି, ଥଣ୍ଟରେ।" କମାର କହିଲା,"ତୁ ବୋକାଟା କିରେ, ଏ ପରା ତତଲା ଦାଆ, ତୋ ଥଣ୍ଟ ପୋଡ଼ିଯିବନି!" କାଉ କହିଲା ତେବେ ମୋର ପିଠିରେ ଥୋଇ ଦିଅ। କମାର କହିଲା," ଭୋକରେ ତୁ ତୋ ବୁଦ୍ଧି ହଜେଇଲୁଣି। ଥଣ୍ଟଟା ଯେତେବେଳେ ପୋଡ଼ି ଯିବ ପିଠିଟା କଣ ଆଉ ରହିବ ! ଶୁଣ ମୋ କଥା, ମୋର ଏତେ କଥା ବକିବାକୁ ବେଳ ନାହିଁ, କେଉଁଥିରେ ନେବୁ ଶୀଘ୍ର କହ, ନଚେତ୍ ତୋ ବାଟ ତୁ ଦେଖ୍।"

କମାର କଥା ଶୁଣି ଦୁଃଖ ଏବଂ ହତାସରେ କାଉ ଆଉ କିଛି କହି ପାରିଲାନି।

"ସ୍ଵର୍ଗକୁ ନିଶୁଣି ନାହିଁ କି ବଡ଼ଲୋକଙ୍କୁ ଉତ୍ତର ନାହିଁ।"

ଏ ବେଳରେ କେମିତି ସେ ତତଲା ଦାଆକୁ ନେବ, ତା ମୁଣ୍ଡରେ ଆଉ କୈଣସି ବୁଦ୍ଧି ପଶିଲା ନାହିଁ। କେମିତି କଣ କରିବ ବୋଲି ଭାବିଲା ସମୟରେ କମାର ଜୋର୍ ପାଟିରେ ପଚାରିଲା," କଣ୍! କେମିତି ନେବୁ!" ଅନ୍ୟ ଉପାୟ ନଦେଖି ସେ ତରବରରେ ବେକ ଦେଖେଇ ଦେଲା। କମାର ତା ବେକରେ ଯେମିତି ତତଲା ଦାଆଟା ଥୋଇ ଦେଇଛି, ସେମିତି କାଉଟା ଛଟପଟ୍ ହୋଇ ମରିଗଲା। ତାର ଆଉ କଲୁରୀବେଣ୍ଟ ଖାଇବା ହୋଇ ପାରିଲା ନାହିଁ। 

ବିଚରା କାଉଟା ଗୋଟିଏ କଲରା ପାଇଁ କେତେ ଦ୍ଵାର ବୁଲି ବୁଲି, ଶେଷରେ ନିଜର ପ୍ରାଣ ହରାଇଲା। 

ଏ ଗପରେ ଥିବା କାଉ ଏବଂ ଗୋଟିଏ ଗରିବ ମଣିଷ ମଧ୍ୟରେ ବେଶି କିଛି ତଫାତ୍ ନାହିଁ। କାଉ ଭଳି ଗରିବ ଲୋକଟିଏ ମଧ୍ୟ କିଛି ସରକାରୀ ସାହାଯ୍ୟ ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ଘୂରି ବୁଲୁଥାଏ ଏବଂ କାହାଣୀରେ ଥିବା ପ୍ରତ୍ୟେକ ଚରିତ୍ର ଗୋଟିଏ ଗୋଟିଏ ଅଧିକାରୀଙ୍କ ପରି ଗରିବ ଲୋକକୁ ପ୍ରତିଶ୍ରୁତି ଦେଇ କେବଳ ଗୋଟିଏ ଅଫିସ୍ ରୁ ଅନ୍ୟ ଅଫିସ୍ କୁ ପଠାଇଥାନ୍ତି। କେତେକ କର୍ମଚାରୀ କୁମ୍ଭାର ପରି ଦୁଷ୍ଟ ହୋଇଥାନ୍ତି ତ କେତେକ କର୍ମଚାରୀ କମାର ପରି ଦୟାଳୁ ହେଲେ ମଧ୍ୟ ଲୋକଙ୍କୁ ପ୍ରତିଶ୍ରୁତି ଦେବା ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥାଏ।

Comments

  1. Awesome one! Multiple symbolisms at play in a single story:

    "ତହିଁ ଆରଦିନ ଯାଇ ଦେଖିଲା ବେଳକୁ ସତକୁ ସତ କଲରା ମଞ୍ଜିରୁ ଗଜାଟିଏ ବାହାରିଛି": Symbolises the journey of a government service aspirant. Just like the 'Kalara Manji' germinated due to fear of 'Mamughara Kuradhi' instead of a genuine urge to grow, much of the government service aspirants aspire for govt jobs not because of their urge to serve the public but because of their fears and insecurities.

    "ପାଚିଲା କଲରାର ମନ ଆକାଶରେ ଉଡୁଥାଏ, ଭାଡ଼ି ଉପରେ ଥିବାରୁ ସତେକି ସେ ମନେ ମନେ ନିଜକୁ ଗୋଟାଏ ରଜା ବୋଲି ଭାବୁଥାଏ। କାଲି ଯିଏ ମାମୁଁଘର କୁରାଢୀ ଆଉ ରଜାଘର କଟୁରୀକୁ ଡ଼ରୁଥିଲା, ସେ ଆଜି ପୁରୁଣା କଥା ପୂରାପୂରି ଭୁଲି ଯାଇଥିଲା।": Metaphor for how people (aspirants) feel after joining a govt service. They forget all their idealism and dedication which they boasted of during their preparation years, and start getting habituated to their newfound high-status. The 'oppressed' which complained of the 'oppressors' a few years back, immediately turns into an 'oppressor' himself as soon as he secures his position in the social hierarchy.

    "ସେ ମିରିଗଟାର ବି କାହାକୁ ଟିକିଏ ଖାତିର୍ ନାହିଁ।": Perfect metaphor for how public authorities/office holders do not care about anyone.

    It's indeed incredible to ponder how folktales can be a potent medium for educating the kids and adults alike.

    ReplyDelete

Post a Comment

Popular posts from this blog

ମାଙ୍କଡ଼ ଏବଂ କାଠ ଖଣ୍ଡ

ଶୃଗାଳ ଏବଂ ଢୋଲ

ପଞ୍ଚତନ୍ତ୍ର କାହାଣୀଧାରା